ରାହାଣେ-ଇଶାନ୍ତଙ୍କ କ୍ୟାରିୟର ସମାପ୍ତ ! କେଏଲ ରାହୁଲଙ୍କୁ ଚେତାବନୀ, କେନ୍ଦ୍ରୀୟ ଚୁକ୍ତି ଜରିଆରେ BCCI ଦେଲା ଏହି ସଙ୍କେତ
28/03/2023 at 11:10 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ୨୦୨୩-୨୪ ସିଜିନ ପାଇଁ ଭାରତୀୟ ଖେଳାଳିଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରି ସାରିଛି। ବିସିସିଆଇ କଣ୍ଟ୍ରାକ୍ଟ ତାଲିକାରେ ୨୬ ଖେଳାଳିଙ୍କୁ ସାମିଲ୍ କରିଛି। ଏଥର ଗ୍ରେଡ୍ ଏ ପ୍ଲସରେ ଚାରି, ଗ୍ରେଡ ଏରେ ପାଞ୍ଚ, ଗ୍ରେଡ ବିରେ ଛଅ ଏବଂ ଗ୍ରେଡ୍ ସିରେ ସର୍ବାଧିକ ୧୧ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
ନୂତନ କେନ୍ଦ୍ରୀୟ ଚୁକ୍ତିରେ କିଛି ଖେଳାଳିଙ୍କ ପଦୋନ୍ନତି ଘଟିଥିବା ବେଳେ କିଛି ଖେଳାଳିଙ୍କ ତାଲିକାରେ ଅବନ୍ନତି ଘଟିଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏ ପ୍ଲସ୍ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗତ ବର୍ଷ ମଧ୍ୟ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହାର ବିପରୀତ କେଏଲ ରାହୁଲ, ଶାର୍ଦ୍ଦୁଳ ଠାକୁରଙ୍କ ପରି ଖେଳାଳିଙ୍କୁ ଏଥର ଝଟକା ଲାଗିଛି ଏବଂ ଉଭୟଙ୍କ ତାଲିକାରେ ଅବନ୍ନତି ଘଟିଛି।
ରାହାଣେ ଏବଂ ଇଶାନ୍ତଙ୍କ କ୍ୟାରିୟର ସମାପ୍ତ !
କେନ୍ଦ୍ରୀୟ ଚୁକ୍ତିରୁ ଅଭିଜ୍ଞ ବ୍ୟାଟର ଆଜିଙ୍କ୍ୟ ରାହାଣେ ଓ ଇଶାନ୍ତ ଶର୍ମାଙ୍କୁ ବାଦ୍ ଦିଆଯାଇଛି। ଦୁହିଁଙ୍କୁ ବାହାର କରି ବିସିସିଆଇ ସଙ୍କେତ ଦେଇଛି ଯେ, ଅନ୍ତର୍ଜାତୀୟ କ୍ରିକେଟ୍ରେ ପ୍ରତ୍ୟାବର୍ତ୍ତନ କରିବାର ଦ୍ଵାର ଉଭୟଙ୍କ ପାଇଁ ବନ୍ଦ ହୋଇ ସାରିଛି। ୩୪ ବର୍ଷୀୟ ଇଶାନ୍ତ ଶର୍ମା ନିଜର ଶେଷ ମ୍ୟାଚ୍ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଅନ୍ୟପକ୍ଷେ ୩୪ ବର୍ଷୀୟ ଆଜିଙ୍କ୍ୟ ରାହାଣେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ ଦଳରୁ ବାହାରେ ଅଛନ୍ତି। ଭୁବନେଶ୍ଵର କୁମାର, ହନୁମା ବିହାରୀ, ଦୀପକ ଚହର ଏବଂ ଋଦ୍ଧିମାନ ଶାହଙ୍କ ପରି ଖେଳାଳିଙ୍କୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯାଇଛି।
ଋଦ୍ଧିମାନ ଶାହ ଏବଂ ହନୁମା ବିହାରୀଙ୍କ କଥା ବୁଝି ହେଉଛି, କିନ୍ତୁ ଭୁବନେଶ୍ଵର କୁମାର ଏବଂ ଦୀପକ ଚହରଙ୍କୁ ତାଲିକାରୁ ବାହାରେ ରଖିବା ବିସିସିଆଇର ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟ ଲାଗୁଛି। ୩୩ ବର୍ଷୀୟ ଭୁବନେଶ୍ଵର କୁମାର ଗତ ବର୍ଷ ଟି-୨୦ ବିଶ୍ଵକପ୍ରେ ଦଳର ପ୍ରତିନିଧିତ୍ଵ କରିଥିଲେ। ଦୀପକ ଚହର ଆହତଜନିତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି ଦଳ ବାହାରେ ଅଛନ୍ତି। ଭୁବନେଶ୍ଵରଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯିବାର ଅର୍ଥ ବିସିସିଆଇ ଏବେ ଯୁବ ଦ୍ରୁତ ବୋଲରଙ୍କୁ ପରଖିବାକୁ ଚାହୁଁଛି।
କେଏଲଙ୍କୁ ମିଳିଲା ସ୍ପଷ୍ଟ ସନ୍ଦେଶ
ତାରକା ବ୍ୟାଟର କେଏଲ ରାହୁଲଙ୍କୁ ଗ୍ରେଡ୍ ଏରୁ ଗ୍ରେଡ୍ ବିକୁ ଖସାଇ ଦିଆଯାଇ ବିସିସିଆଇ ଭବିଷ୍ୟତ ପାଇଁ ବଡ ସଙ୍କେତ ଦେଇଛି। ଯଦି କେଏଲ ଆଗାମୀ ସମୟରେ ଭଲ ପ୍ରଦର୍ଶନ ନକରନ୍ତି ତେବେ ରାହାଣେ, ଇଶାନ୍ତ ଏବଂ ଭୁବନେଶ୍ଵର କୁମାରଙ୍କ ଭଳି ଅବସ୍ଥା ଭୋଗି ପାରନ୍ତି। କେଏଲ ରାହୁଲ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ସଂଘର୍ଷ କରୁଥିବା ନଜର ଆସିଥିଲେ। ପୁଣି ଟି-୨୦ କ୍ରିକେଟ୍ରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଛି।
ହାର୍ଦ୍ଦିକ-ଅକ୍ଷର ଏବଂ ସୂର୍ଯ୍ୟାଙ୍କୁ ମିଳିଲା ପରିଶ୍ରମର ଫଳ
ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟେଲ୍ଙ୍କ ତାଲିକାରେ ଉନ୍ନତି ଘଟିଛି। ଏହି ଖେଳାଳି ଗତ ୧୨ ମାସରେ ଦମଦାର ପ୍ରଦର୍ଶନ କରିଛନ୍ତି, ଯାହାର ଫଳ ବର୍ତ୍ତମାନ ସେମାନଙ୍କୁ ମିଳିଛି। ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ଇଶାନ କିଷନ ଏବଂ କେଏସ ଭରତ ମଧ୍ୟ ପ୍ରଥମ ଥର କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ ହୋଇଛନ୍ତି।
ବିସିସିଆଇର କେନ୍ଦ୍ରୀୟ ଚୁକ୍ତି
ଗ୍ରେଡ୍ ଏ ପ୍ଲସ୍(୭ କୋଟି)– ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା।
ଗ୍ରେଡ୍ ଏ(୫ କୋଟି)– ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ୍।
ଗ୍ରେଡ୍ ବି(୩ କୋଟି)– ଚେତେଶ୍ଵର ପୂଜାରା, କେଏଲ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍।
ଗ୍ରେଡ୍ ସି(୧ କୋଟି)– ଉମେଶ ଯାଦବ, ଶିଖର ଧାଓ୍ଵନ, ଶାର୍ଦ୍ଦୁଳ ଠାକୁର, ଇଶାନ କିଷନ, ଦୀପକ ହୁଡ୍ଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେଏସ ଭରତ।