ସୁସ୍ଥ ହେଉଛି ଗୁଳିବିଦ୍ଧ ଦନ୍ତା, ରେଡିଓ କଲାର ଲଗାଇ ହାତୀକୁ ମୁକ୍ତ କଲା ବନବିଭାଗ

Published By : Prameya-News7 Bureau | February 22, 2024 IST

ଅନୁଗୁଳ ୨୨/୦୨: ଛେଣ୍ଡିପଦା ବନାଞ୍ଚଳରେ ଠାବ ହୋଇଥିବା ଗୁଳିବିଦ୍ଧ ଦନ୍ତା ହାତୀ ସୁସ୍ଥ ହେଉଛି । ୫ ଦିନର ଚିକିତ୍ସାରେ ବୁଧବାର ତୃତୀୟ ଥର ଡ୍ରେସିଂ ହୋଇଥିଲା । କ୍ଷତ ଶୁଖି ଆସୁଥିବା ଜଣାପଡ଼ିବା ପରେ ବନବିଭାଗ ଦନ୍ତାକୁ ମୁକ୍ତ କରିଛି । ହାତୀକୁ ଜଙ୍ଗଲକୁ ଛାଡ଼ିବା ପୂର୍ବର ଶରୀରରେ ରେଡିଓ କଲାର୍‌ ଖଞ୍ଜାଯାଇଛି । ଯେପରିକି ତା’ର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇପାରିବ ।

ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରେଡିଓ କଲାର୍‌ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯିବ ବୋଲି ଅନୁଗୁଳ ଡିଏଫ୍‌ଓ ବିବେକ କୁମାର ପ୍ରକାଶ କରିଛନ୍ତି । ଅନ୍ୟପଟେ ହାତୀ ଶରୀରରେ ରେଡିଓ କଲାର୍‌ ଖଞ୍ଜାଯିବା ଏହା ରାଜ୍ୟରେ ପ୍ରଥମ ଘଟଣା ବୋଲି ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସୂଚନାଥାଉକି, ଆଠମଲ୍ଲିକ ବନଖଣ୍ଡ ଇଲାକାରୁ ଗୁଳିବିଦ୍ଧ ଏହି ହନ୍ତାହାତୀଟି ଗତ ୧୩ ତାରିଖରେ ଛେଣ୍ଡିପଦା ବନାଞ୍ଚଳରେ ପ୍ରବେଶ କରିଥିଲା ।

ଜନବସତି ଆଖପାଖରେ ଘୂରି ବୁଲିଥିଲା । ତିନି ଦିନ ପରେ ଗତ ୧୬ ତାରିଖରେ ପୁରୁଣାଗଡ଼ ଛକ ନିକଟରେ ଏକ ପାଣି ଚହଲା ଭିତରେ ରହିଥିଲା । ଡ୍ରୋନ୍‌ ଓ ବାଇନାକୁଲାର ମାଧ୍ୟମରେ ଅନୁଧ୍ୟାନ ପରେ ହାତୀ କପାଳରେ ଗଭୀର କ୍ଷତ ସହ ରକ୍ତସ୍ରାବ ହେଉଥିବା ସ୍ପଷ୍ଟ ହୋଇଥିଲା । ସାତକୋଶିଆରୁ ଡାକ୍ତରୀ ଟିମ୍‌ ପହଞ୍ଚିଥିଲେ ମଧ୍ୟ ହାତୀକୁ ଟ୍ରାଂକୁଲାଇଜ୍‌ କରିବା ସମ୍ଭବ ହୋଇନଥିଲା ।

୧୭ ତାରିଖରେ ଡିଏଫ୍‌ଓଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ଛେଣ୍ଡିପଦା ସାପୋଇସାହି ନିକଟରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଥିଲା । ନନ୍ଦନକାନନ, ଢେଙ୍କାନାଳର କପିଳାସ ଓ ସାତକୋଶିଆରୁ ଆସିଥିବା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହାତୀର ଚିକିତ୍ସା କରାଯାଇଥିଲା । ଦନ୍ତା ହାତୀର ମୁଣ୍ଡରେ ୯ଟି ସ୍ଥାନରେ ଛୋଟ ବଡ଼ କ୍ଷତ ଚିହ୍ନଟ ହୋଇଥିବା ବେଳେ ୩ଟି ସ୍ଥାନ ଗୁରୁତର ଭାବରେ ପଚି ଯାଇଥିଲା ।

ମେଟାଲ୍‌ ଡିଟେକ୍ସର୍‌ ଓ ଏକ୍ସ-ରେ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲେ ମଧ୍ୟ ଶରୀର ମଧ୍ୟରେ ଗୁଳି ଠାବ ହୋଇପାରିନଥିଲା । ଶିକାରୀ ଦେଶୀ ବନ୍ଧୁକରୁ ଛର୍‌ରା ମାଡ଼ କରିଥିବା ବନ ବିଭାଗ ସନ୍ଦେହ କରିଥିଲା । ୪ ଘଣ୍ଟାରୁ ଅଧିକ ସମୟ ଧରି ହାତୀର ଚିକିତ୍ସା କରାଯାଇଥିଲା । ନିକଟସ୍ଥ ଦୁଇଟି ତାଳ ଗଛରେ ଲୁହା ଶିକୁଳିରେ ହାତୀର ଗୋଡ଼ ବାନ୍ଧି ଦିଆଯାଇଥିଲା ।

ଖରାରୁ ରକ୍ଷା ପାଇବାକୁ ଉପରେ ପାଲ ଭିଡ଼ିବା ସହ ହାତୀର ଚିକିତ୍ସା ଓ ଆବଶ୍ୟକ ଖାଦ୍ୟ ଦିଆଯାଇଥିଲା । ନିୟମିତ ବ୍ୟବଧାନରେ ପାଣି ସିଞ୍ଚନ କରାଯାଇଥିଲା । ବନ କର୍ମଚାରୀଙ୍କ ସହ ୩ ଜଣ ମାହୁନ୍ତ ନଜର ରଖିଥିଲେ । ଦୁଇ ଦିନ ତଳେ ଟ୍ରାଂକୁଲାଇଜ୍‌ କରି ଘା’ ଡ୍ରେସିଂ କରାଯାଇ ଔଷଧ ଦିଆଯାଇଥିଲା ।

you can also read...

wp:embed {"url":"https://www.prameyanews7.com/artificial-intelligence-caught-distractions-in-exam-centers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/artificial-intelligence-caught-distractions-in-exam-centers/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.