ଗଞ୍ଜାମ ରାଜନୀତି ଚଳଚଞ୍ଚଳ, ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମୁହାଁମୁହିଁ

Published By : Prameya-News7 Bureau | November 11, 2023 IST

ବ୍ରହ୍ମପୁର ୧୧।୧୧: ଗଞ୍ଜାମ ରାଜନୀତି ଚଳଚଞ୍ଚଳ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମୁହାଁମୁହିଁ । ପ୍ରଦୀପ ବିଜେପିରେ ମିଶିବାକୁ ନେଇ ଗଞ୍ଜାମ ରାଜନୀତି ବେଶ ହଟଚମଟ ହେଉଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ କରାଯାଇଛି । ସେହି ବିଧାୟକ ଏବେ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଠାରୁ ଟାଟା କମ୍ପାନୀରେ ନିଯୁକ୍ତି କରିବା ନାଁରେ ଟଙ୍କା ଠକି ନେଇଥିବା ମାମଲା ଥାନାରେ ରୁଜୁ ହୋଇଛି । ଏଭଳି ବ୍ୟକ୍ତି ବିଶେଷଙ୍କୁ ବିଜେପି କିପରି ଗ୍ରହଣ କରୁଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଗଞ୍ଜାମ ବିଜେଡି କହିଛି ।

କୋଭିଡ ସମୟରେ ଚାର୍ଟଡ଼ ଫ୍ଲାଇଟରେ ବିଧାୟକ ପରିବାର ସହ ଆକାଶରେ ଉଡି ଅଏସ କରୁଥିଲେ ।

ଏପରିକି ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଆଣିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସେତେବେଳେ ମନା କରିଥିଲେ । ଯେମିତି ରାଜ୍ୟକୁ ପ୍ରବାସୀ ଓଡ଼ିଆ ନଫେରିବେ ସେନେଇ ଷଡଯନ୍ତ୍ର କରୁଥିଲେ । କେବଳ ସେତିକି ନୁହେଁ, ପ୍ରଦୀପ ବାଲି, ମଦ, ଚିଟ୍‌ଫଣ୍ଡ ଟଙ୍କା ଖାଇଥିବା ନେଇ ବିଜେପି ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ସେତେବେଳେ ବିଜେପି ଦାବି କରୁଥିଲା । ପୂର୍ବତନ ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ତୀବ୍ର ବିରୋଧ କରି ଆନ୍ଦୋଳନ କରୁଥିଲେ ।

ଏଭଳି ଜନ ବିରୋଧୀ କାର୍ଯ୍ୟକଳାପକୁ ବିଜେପି ସେତେବେଳେ ବିରୋଧ କରୁଥିବା ବେଳେ ଏବେ କେମିତି ଏଭଳି ବ୍ୟକ୍ତି ବିଶେଷଙ୍କୁ ବିଜେପି କୋଳେଇବାକୁ ଯାଉଛି, ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରକାଶ କରିଛି ।

ମଦ ଓ ବାଲି ମାଫିଆଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିବା ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି ।

ବିଜେପି ନୂଆ ନେତା ସୃଷ୍ଟି କରିବାରେ ଅକ୍ଷମ ହେଉଥିବାରୁ ଏଭଳି ଜନ ବିରୋଧୀ ନେତାଙ୍କୁ ଗ୍ରହଣ କରିବାକୁ ଯାଉଥିବାରୁ ବିଜେପି ତାହାର ଆଦର୍ଶ ନୀତି ଭୁଲି ଯାଇଛି ଏବଂ ନୀତି ଆଦର୍ଶକୁ ବିଶ୍ୱାସ କରୁନଥିବା ବୋଲି ବିଜେଡି କହିଛି । ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ବିକ୍ରମ ପଣ୍ଡା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି । କିଏ କେଉଁ ଦଳରେ ମିଶିଲେ ଦଳରେ କିଛି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି କହିଛି ।

ସେପଟେ ପ୍ରଦୀପଙ୍କ ସହ ଯିଏ ବି ଆସିବ ତାଙ୍କୁ ବି ଦଳରେ ସାମିଲ କରାଯିବ ବୋଲି ଗଞ୍ଜାମ ବିଜେପି କହିଛି । ଯେଉଁ ସବୁ ମାମଲାରେ ପ୍ରଦୀପ ସମ୍ପୃକ୍ତ ଥିବା ବିଜେଡି ଅଭିଯୋଗ କରୁଛି ତାହା ଏବେ ବିଚାରାଧୀନ ଥିବା ବିଜେପି କହିଛି । ଯିଏ ବିଜେପିରେ ସାମିଲ ହେବା ପାଇଁ ଚାହିଁବ ତାଙ୍କ ଦ୍ୱାର ଖୋଲା ରହିଛି ବୋଲି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡାକ୍ତର ସୁବାଷ ସାହୁ କହିଛନ୍ତି । ପ୍ରଦୀପଙ୍କୁ ବିଜେପି କେବେ କୋଳେଇ ନେଉଛି ଏବଂ ଆଗାମୀ ଦିନରେ ଜିଲ୍ଲା ରାଜନୈତିକ ମାହୋଲ କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

You Can Read :

wp:embed {"url":"https://www.prameyanews7.com/theft-bolero-seized-from-kolkata/","type":"wp-embed","providerNameSlug":"prameya-news-7"}
https://www.prameyanews7.com/theft-bolero-seized-from-kolkata/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.