ସଂସଦରେ 'ଅପାଠୁଆ' କହିବାରୁ ଭାବବିହ୍ୱଳ ହୋଇଗଲେ ରାବଡୀ ଦେବୀ: କହିଲେ, 'ବାପା-ଜେଜେ ପଢାଇ ନାହାନ୍ତି, ମୋର କ'ଣ ଦୋଷ ?'

Published By : Prameya-News7 Bureau | November 28, 2020 IST

ପାଟନା ୨୮/୧୧ : ବିହାରରେ ନୂଆ ସରକାର ଗଠନ ପରେ ବିଧାନ ପରିଷଦରେ ପ୍ରଥମ ଅଧିବେଶନର ଶେଷ ଦିନରେ ଖୁବ ହଙ୍ଗାମା ହୋଇଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ରୋଜଗାର ପ୍ରସଙ୍ଗକୁ ନେଇ ଘେରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ବାଦବିବାଦ ଘେରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସାମ୍ନାରେ ରାବଡୀ ଦେବୀ କହିଥିଲେ, 'ରାଜ୍ୟପାଳଙ୍କ ଅଭିଭାଷଣରେ ୧୯ ଲକ୍ଷ ଯୁବକଙ୍କ ଚାକିରୀ ପ୍ରସଙ୍ଗ କାହିଁକି ନଥିଲା। ସେ କହିଥିଲେ, ବିହାରରେ ରୋଜଗାର କାହିଁକି ନାହିଁ ? ସରକାର ଲୋକଙ୍କୁ ଚାକିରୀ କାହିଁକି ଦେଉନାହାନ୍ତି। ଲାଲୁ ଶାସନକୁ ଜଙ୍ଗଲ ରାଜ କୁହାଯାଉଛି କିନ୍ତୁ ମୁଁ ପଚାରିବାକୁ ଚାହୁଁଛି ଯେ ଆଜି କାହା ଉପରେ ଆରୋପ ନାହିଁ ? ଏମିତି କିଏ ଅଛି ଯାହା ଉପରେ ଦାଗ ଲାଗିନି।' ରାବଡୀ ଦେବୀ ସମସ୍ତଙ୍କୁ ଦାଗି କହିବା ନେଇ ପରିଷଦରୀ ହଙ୍ଗାମା ହୋଇଥିଲା।

ବିହାର ସରକାରରେ ମନ୍ତ୍ରୀ ଥିବା ବିଜେପି ନେତା ମଙ୍ଗଳ ପାଣ୍ଡେ ରାବଡୀ ଦେବୀଙ୍କ ବୟାନକୁ ବିରୋଧ କରିଥିଲେ। ପରିଷଦରେ ହଙ୍ଗାମା ହେଲାବେଳେ କେହି ଜଣେ ରାବଡୀ ଦେବୀଙ୍କୁ ଅପାଠୁଆ ବୋଲି କହିଥିଲେ। ଅପାଠୁଆ ଶୁଣି ରାବଡୀ ଦେବୀ ଭାବବିହ୍ୱଳ ହୋଇଯାଇଥିଲେ। ସେ କହିଥିଲେ, ପୂର୍ବରୁ ସ୍କୁଲ ନଥିଲା, ସେଥିପାଇଁ ସେ ପାଠ ପଢିନଥିଲେ। ତାଙ୍କ ବାପା-ଜେଜେ ତାଙ୍କୁ ପାଠ ପଢାଇନଥିଲେ, ସେଥିରେ ତାଙ୍କର ଭୁଲ କଣ ? ଲାଲୁ ସ୍ୱାଧୀନତା ଦେବାପରେ ଏବେ ସମସ୍ତେ ପାଠ ପଢୁଛନ୍ତି ସେ ରାବଡୀ କହିଥିଲେ। ଗତ ୧୫ ବର୍ଷ ହେଲା ବିହାରରେ କେବଳ ମିଛର ବିକାଶ ହୋଇଛି ବୋଲି ସେ କହିଥିଲେ। ଚାରା ଦୁର୍ନୀତିରେ ଲାଲୁଙ୍କୁ ଫସାଇ ଦିଆଯାଇଛି। ଚାରା ଦୁର୍ନୀତି ଆଗରୁ ହେଉଥିଲା, କିନ୍ତୁ ୧୯୯୦ ରୁ ଯାଞ୍ଚ କାହିଁକି ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଆରଜେଡି ଆଜି ବିଧାନସଭାରେ ସବୁଠାରୁ ବଡ ଦଳ। ଷଡଯନ୍ତ୍ରରେ ଅନେକ ଆସନ ହାତରୁ ଚାଲିଯାଇଛି। ଯଦି ନୀତିଶ କୁମାର ନିର୍ବାଚନ ଜିତିଛନ୍ତି ତାହେଲେ ଜେଡିୟୁକୁ ୪୨ ଆସନ କାହିଁକି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.