ଦିନିକିଆରୁ ଡ୍ରପ୍‌ ନା ରେଷ୍ଟ.. ସରିଗଲା କି ରବିନ୍ଦ୍ର ଜାଡେଜାଙ୍କ ODI କ୍ୟାରିୟର ?

Published By : Prameya-News7 Bureau | July 22, 2024 IST

ମୁମ୍ବାଇ ୨୨।୦୭ : ଦିନିକିଆରୁ ଡ୍ରପ୍‌ କି ରେଷ୍ଟ । ନା ପୁରା ଶେଷ ହୋଇଗଲା ରବିନ୍ଦ୍ର ଜାଡେଜାଙ୍କ ଦିନିକିଆ କ୍ୟାରିୟର । ଛୁଟିରେ ଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଡକାଗଲା । ହେଲେ ରବିନ୍ଦ୍ର ଜାଡେଜାଙ୍କ କ୍ଷେତ୍ରରେ ଚୁପ୍‌ କାହିଁକି । ଏହା ପଛରେ ଆଉ କିଛି କାରଣ ନା ଚୟନକର୍ତ୍ତା- କୋଚ ଏବଂ ଅଧିନାୟକ ବାଛି ସାରିଲେଣି ରବିନ୍ଦ୍ର ଜାଡେଜାଙ୍କ ବିକଳ୍ପ…

୨୦୨୪ ଜୁନ୍‌ ୨୯ । ଏହି ତାରିଖରେ ପୁଣି ଥରେ ଭାରତୀୟ କ୍ରିକେଟ୍‌ ଫ୍ୟାନ୍ସଙ୍କ ପାଇଁ ଆସିଥିଲା ସେଲିବ୍ରେସନ୍‌ର ଦିନ । ଏହି ଦିନ ଭାରତୀୟ କ୍ରିକେଟ୍‌ ଟିମ୍‌ ଜିତିଥିଲା ଟି-୨୦ ବିଶ୍ୱକପ୍‌ । ଦୀର୍ଘ ୧୧ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ କୌଣସି ଆଇସିସି ଟ୍ରଫି ଜିତିଥିଲା । ଯାହାଫଳରେ ଚାରିଆଡେ ଥିଲା ଖୁସିର ମାହୋଲ ।ହେଲେ ଏହି ସମୟରେ ଟି-୨୦ କ୍ରିକେଟ୍‌କୁ ଅଲ୍‌ବିଦା କହିଥିଲେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଷ୍ଟାର୍‌ ଅଲ୍‌ରାଉଣ୍ଟର ରବିନ୍ଦ୍ର ଜାଡେଜା । ଆଉ ନିଜକୁ ଆଗାମୀ ଦିନରେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍‌ ଲାଗି ଆଭେଲେବୁଲ୍‌ ରହିବାକୁ କହିଥିଲେ । ଏହାରି ମଧ୍ୟରେ ଟି-୨୦ ବିଶ୍ୱକପ୍‌ ପରେ ଆସିଲା ଜିମ୍ବାଓ୍ୱେ ଗସ୍ତ । ସିନିୟରଙ୍କୁ ବିଶ୍ରାମ ଦେଇ ଯୁବ ଖେଳାଳିଙ୍କୁ ଦିଆଗଲା ସୁଯୋଗ । ଆଉ ଯୁବ ବାହିନୀ ବି କମାଲ କରିଲେ । ଜିମ୍ବାଓ୍ୱେରେ ସିରିଜ୍‌ ବିଜୟ ପରେ ଶ୍ରୀଲଙ୍କା ଗସ୍ତ ଲାଗି ଟିମ୍‌ର ହେଲା ଘୋଷଣା । ଏଥିପାଇଁ ବିରାଟ, ରୋହିତ, ବୁମ୍‌ରାହଙ୍କୁ ବିଶ୍ରାମ ଦିଆଯିବ ବୋଲି ଖବର ଆସୁଥିଲା । ହେଲେ ଗୌତମ ଗମ୍ଭୀର ନୂଆ କୋଚ୍‌ ଭାବେ ଦାୟିତ୍ୱ ନେବା ପରେ ବିରାଟ ଏବଂ ରୋହିତଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଖେଳିବାକୁ କରିଲେ ଅନୁରୋଧ । ଆଉ କୋଚଙ୍କ କଥା ମାନି ଉଭୟ ଦିନିକିଆ ସିରିଜ୍‌ ଖେଳିବାକୁ ରାଜି ହୋଇଥିଲେ । ଆଉ ଟିମ୍‌ର ବି ହେଲା ଘୋଷଣା । ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା ବେଳେ ଶୁଭମନ୍‌ ଗିଲ୍ଙ୍କୁ ଦିଆଗଲା ଉପଅଧିନାୟକର କମାଣ୍ଡ । ୧୫ ଜଣିଆ ଦଳରେ ସ୍ପିନ୍‌ର ଭାବେ କୁଲଦୀପ ଯାଦବ, ଓ୍ୱାସିଂଟନ୍‌ ସୁନ୍ଦର, ଅକ୍ଷର ପଟେଲଙ୍କ ନାଁ ରହିଛି । ହେଲେ ଏହି ଦଳରୁ ଗୋଟିଏ ନାଁ ଗାଏବ ଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହି ନାଁଟି ହେଉଛି ଏବେକା ସମୟର ଟିମ୍‌ ଇଣ୍ଡିଆର ପ୍ରିମିୟମ୍‌ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା। ୩୫ ବର୍ଷୀୟ ଏହି ଅଲରାଉଣ୍ଡରଙ୍କ କାହିଁକି ଟିମ୍‌ ଇଣ୍ଡିଆରୁ ଡ୍ରପ କରାଯାଇଛି । ସେନେଇ ବିସିସିଆଇ –କୋଚ- ଚୟନକର୍ତ୍ତା- ଅଧିନାୟକଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ । ହେଲେ ମିଳିଥିବା ସୂଚନାନୁସାରେ, ଚୟନକର୍ତ୍ତା ରବିନ୍ଦ୍ର ଜାଡେଜାଙ୍କ ବିକଳ୍ପ ଉପରେ ଧ୍ୟାନ ଦେଉଛନ୍ତି । ଅକ୍ଷର ପଟେଲ୍‌ କିମ୍ବା ଓ୍ୱାସିଂଟନ୍‌ ସୁନ୍ଦର .. ଏହି ଦୁହିଁଙ୍କ ମଧ୍ୟରୁ କିଏ ବି ହେଲେ ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ଜାଡେଜାଙ୍କ ସ୍ଥାନ ନେଇପାରେ । ନିକଟରେ ଅକ୍ଷର ଟି-୨୦ ବିଶ୍ୱକପ୍‌ରେ ଦମ୍‌ଦାର୍‌ ଅଲ୍‌ରାଉଣ୍ଡର ପ୍ରଦର୍ଶନ କରିଥିଲେ । ୨୦୨୫ ଚମ୍ପିଆନ୍‌ ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌ ମୋଟ ୬ଟି ଦିନିକିଆ ମ୍ୟାଚ୍‌ ଖେଳିବ । ପ୍ରଥମ ତିନୋଟି ଶ୍ରୀଲଙ୍କା ବିପକ୍ଷରେ ଥିବା ବେଳେ ବାକି ତିନୋଟି ଇଂଲଣ୍ଡ ବିପକ୍ଷରେ ରହିଛି। 

ସୂଚନାଯୋଗ୍ୟ ଯେ, ୧୪ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ଜାଡେଜା ମୋଟ ୧୯୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୨୨୦ଟି ଓ୍ୱିକେଟ୍‌ ନେଇଥିବା ବେଳେ ଇକୋନୋମି ରହିଛି ୪.୮୮ ପ୍ରତିଶତ । ଆଉ ତାଙ୍କର ବେଷ୍ଟ ବୋଲିଂ ଫିଗର ୩୩ ରନ୍‌ ଦେଇ ୪ଟି ଓ୍ୱିକେଟ୍‌ ରହିଛି । ସେହିପରି ବ୍ୟାଟିଂରେ ବି କମ୍‌ କିଛି କମ୍‌ ନୁହନ୍ତି ଜାଡେଜା । ୧୯୭ଟି ମ୍ୟାଚ୍‌ରେ ଜାଡେଜା ସଂଗ୍ରହ କରିଛନ୍ତି ୨୭୫୬ ରନ୍‌ । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୮୭ । ଦିନିକିଆ କ୍ରିକେଟ୍‌ରେ ମୋଟ ୧୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ଜାଡେଜା ।୨୦୨୩ ନଭେମ୍ବର ୧୯ରେ ଅହମ୍ମଦାବାଦ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଜାଡେଜା ଶେଷ ଥର ଲାଗି ଦିନିକିଆ ମ୍ୟାଚ୍‌ ଖେଳିଥିଲେ । ଏହାପର ଠାରୁ ଆଉ କୌଣସି ବି ଦିନିକିଆ ମ୍ୟାଚ୍‌ ଖେଳିନାହାନ୍ତି ଜାଡେଜା । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.