'ରକେଟ୍ରି ଚଳଚ୍ଚିତ୍ରରେ ଅନେକ ମିଛ କଥା ଦେଖାଯାଇଛି' : ଗୁମର ଖୋଲିଲେ ନମ୍ବୀ ନାରାୟଣନଙ୍କ ସହ କାମ କରିଥିବା ପୂର୍ବତନ ବୈଜ୍ଞାନିକ

Published By : Prameya-News7 Bureau | August 26, 2022 IST

ନୂଆଦିଲ୍ଲୀ, ୨୬|୦୮: ଆର୍ ମାଧବନଙ୍କ ଫିଲ୍ମ ରକେଟ୍ରି- ଦି ନମ୍ବୀ ଇଫେକ୍ଟ ଦେଶ ସାରା ଖୁବ୍ ପ୍ରଶଂସା ସାଉଁଟିଛି । କିନ୍ତୁ ଏବେ ଏହି ଫିଲ୍ମରେ ଦେଖାଯାଇଥିବା ତଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ତେବେ ଏହି ପ୍ରଶ୍ନ ଆଉ କେହି ନୁହେଁ ବରଂ ଇସ୍ରୋର କିଛି ବୈଜ୍ଞାନିକ ଉଠାଇଛନ୍ତି ।

କେରଳର ଥିରୁଅନନ୍ତପୁରମରେ ବୁଧବାର ଇସ୍ରୋର କିଛି ପୂର୍ବତନ ବୈଜ୍ଞାନିକ କହିଛନ୍ତି ଯେ, ଫିଲ୍ମଡରେ ଦେଖାଯାଇଛି ଯେ, ନମ୍ବୀ ନାରାୟଣନଙ୍କୁ ଗିରଫ କରାଯିବା ପରେ ଦେଶରେ କ୍ରାୟୋଜେନିକ୍ ଇଞ୍ଜିନ ତିଆରି ବିଳମ୍ବିତ ହୋଇଥିଲା । ଏଥିରେ ଦେଶ ଆର୍ଥିକ ସ୍ତରରେ ଦୁର୍ବଳ ହୋଇଯାଇଥିଲା । କିନ୍ତୁ ଏହି ଦାବି ସମ୍ପୂର୍ଣ୍ଣ ଭାବେ ମିଛ ।

ବୈଜ୍ଞାନିକମାନେ କହିଛନ୍ତି ଯେ, ନାରାୟଣନ ଦାବି କରିଛନ୍ତି ଯେ, ରକେଟ୍ରିରେ ସବୁ କିଛି ସତ ଦେଖାଯାଇଛି । କିନ୍ତୁ ଅନେକ ଦୃଶ୍ୟରେ ସତ୍ୟତା ନାହିଁ । ସତ ସହ ଏହାର କୌଣସି ନେଣଦେଣ ନାହିଁ । ଏପରିକି ନାରାୟଣନଙ୍କୁ ଇସ୍ରୋରେ ନିଜର କାର୍ଯ୍ୟପାଇଁ ପଦ୍ମଶ୍ରୀ ମିଳିଛି ।

ସାମ୍ବାଦିକ ସମ୍ମିଳନୀ କରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ, ଇସ୍ରୋରେ ଅଶୀଦଶକର ମଧ୍ୟରେ କ୍ରାୟୋଜେନିକ୍ ଇଞ୍ଜିନ ବିକଶିତ କରିବା ପ୍ରକଳ୍ପ ଆରମ୍ଭ କରିଥିଲା । ଏହାର ପ୍ରଭାରି ଥିଲେ ଇଭିଏସ ନେମ୍ବୁଥିରି । ତାଙ୍କ ନେତୃତ୍ୱରେ ୧୨ଟି ଯନ୍ତ୍ର ବିକଶିତ କରାଯାଇଥିଲା । ସେତେବେଳେ ନାରାୟଣନଙ୍କ ଏହି ପ୍ରକଳ୍ପ ସହ କୌଣସି ନେଣଦେଣ ନଥିଲା । ପରେ ବାସୁଦେବନ ଗାନ୍ଧୀଙ୍କ ନେତୃତ୍ୱରେ କାୟୋଜେନିକ୍ ଇଞ୍ଜିନ ବିକଶିତ କରାଯାଇଥିଲା । କିନ୍ତୁ ନାରାୟଣନ ଏହି ଟିମରେ ମଧ୍ୟ ସାମିଲ ନଥିଲେ ।

ବୈଜ୍ଞାନିକଙ୍କ କହିବାନୁସାରେ, ନମ୍ବୀ ନାରାୟଣନ ଏହା ମଧ୍ୟ ଦାବି କରିଛନ୍ତି ଯେ, ବିକ୍ରମ ସାରାଭାଇ ତାଙ୍କୁ ଆମେରିକାର ପ୍ରେଷ୍ଟନ ୟୁନିଙର୍ସିଟିରେ ପିଜି କରିବାକୁ ପଠାଇଥିଲେ । ଏହା ସତ ନୁହେଁ । ଯେଉଁ ବୈଜ୍ଞାନିକଙ୍କୁ ପଠାଯାଇଥିଲା ସେ ଏଲପିଏସର ନିର୍ଦ୍ଦେଶକ ମୁଥୁନାୟକମ ଥିଲେ । ନମ୍ବି ୧୯୬୮ରେ ଇସ୍ରୋରେ ଯୋଗ ଦେଇଥିଲେ । ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କ ଅଧିନରେ କିଛି ମାସ କାମ କରିବାକୁ ପଡିଥିଲା । କିନ୍ତୁ ଫିଲ୍ମରେ ସେ ଅବ୍ଦୁଲ କାଲାମଙ୍କୁ ଭୁଲ ନିଷ୍ପତ୍ତି ନେବାରେ ରୋକିଥିଲେ ବୋଲି ଦାବି କରାଯାଇଛି ।

ସେହିପରି ଏଲପିଏସସିର ପୂର୍ବତନ ନିର୍ଦ୍ଦେଶକତ ମୁଥୁନାୟକମ କହିଛନ୍ତି ଯେ, ୧୯୯୦ରେ ଏଲପିଏସସିରେ କ୍ରାୟୋଜେନିକ ସିଷ୍ଟମ ଆରମ୍ଭ ହୋଇଥିଲା । ସେତେବେଳେ ସେ ନାରାୟଣନଙ୍କୁ ପ୍ରକଳ୍ପର ନିର୍ଦ୍ଦେଶକ ନିଯୁକ୍ତ କରିଥିଲେ । ଏହାପରେ ୧୯୯୩ରେ ଋଷ ସହ ଏଖ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସେତେବେଳେ ନାରାୟଣନଙ୍କ ନେତୃତ୍ୱରେ ଟିମ୍ ଋଷ ଯାଇଥିଲା । ପରେ ଆମେରିକା ଚାପରେ ଋଷ ଚୁକ୍ତିରୁ ପଛକୁ ହଟିଯାଇଥିଲା ।

ନାରାୟଣନ ୧୯୯୪ରେ ଅବସର ପାଇଁ ଆବେଦନ କରିଥିଲେ । ସେହିବର୍ଷ ଗିରଫଦାରି ପରେ ତାଙ୍କୁ ଟିମରୁ ବାହାର କରାଯାଇଥିଲା ।  ତେଣୁ ଏଲପିଏସସି ଛାଡିବା ପରେ କ୍ରାୟୋଜେନିକ୍ ଇଞ୍ଜିନ ବିକଶିତ ଦିଗରେ ତାଙ୍କର କୌଣସି ନେଣଦେଣ ନଥିଲା । ଏହାକୁ ନାରାୟଣନ ବିକଶିତ କରିଥିବା ଦାବି ମିଛ । ଏହି କାମ ଅନ୍ୟମାନେ କରିଥିଲେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.