ମାରାଡୋନାଙ୍କ ମୃତ୍ୟୁ ପାଇଁ କ'ଣ ଡାକ୍ତର ଦାୟୀ ? ମହାନ ଫୁଟବଲ ତାରକାଙ୍କ ଝିଅ ପ୍ରମାଣ ସହ ଆଣିଲେ ସାଙ୍ଘାତିକ ଅଭିଯୋଗ

Published By : Prameya-News7 Bureau | November 30, 2020 IST

ବ୍ୟୁନସ ଆୟର୍ସ ୩୦।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲ୍‌ ଖେଳାଳି ଡିଏଗୋ ମାରାଡୋନାଙ୍କ ମୃତ୍ୟୁରେ ଫୁଟବଲ୍‌ ଜଗତରେ ଶୋକର ଲହରି। ହେଲେ ମାରାଡୋନାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ଅବହେଳା କାରଣରୁ ଏବେ ସେ ତଦନ୍ତ ଘେରରେ ରହିଛନ୍ତି। ଗତ ବୁଧବାର ହୃଦଘାତ କାରଣରୁ ମାରାଡୋନାଙ୍କ ପରଲୋକ  ଘଟିଥିଲା। ଏହି ସଂପର୍କର ମାରାଡୋନାଙ୍କ ଓକିଲ ସୂଚନା ଦେଇଛନ୍ତି। ସମାଚାର ଏଜେନ୍ସି ସିନହୁଆ ଅନୁଯାୟୀ, ପୁଲିସ ରବିବାର ଡାକ୍ତର ଲିଓପୋଲ୍ଡୋ ଲୁକ୍ୟୁଙ୍କ ଘର ଏବଂ ଘରୋଇ କ୍ଲିନିକ୍‌ରେ ଚଢାଉ କରିଛି। ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ମାରାଡୋନାଙ୍କ ମୃତ୍ୟୁ ପଛରେ କଣ ଡାକ୍ତରଙ୍କ ଅବହେଳା ନଥିଲା ତ ?

ଓକିଲ କହିଛନ୍ତି, ପ୍ରାଥମିକ ଯାଞ୍ଚରେ ମାରାଡୋନାଙ୍କ ଝିଅ ଡାଲ୍‌ମା, ଗିନନିଆ ଓ ଜାନାଙ୍କଠୁ ମିଳିଥିବା ପ୍ରମାଣ ଆଧାରରେ ଜଜ୍ ତଦନ୍ତ ଆଦେଶ ଦେଇଥିଲେ। ସ୍ଥାନୀୟ ଓକିଲଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବିବୃତ୍ତିରେ କୁହାଯାଇଛି, ଯେଉଁ ସବୁ ପ୍ରମାଣ ମିଳିଛି, ସେଥିରୁ ହୃଦବୋଧ ହୋଇଛି ଯେ ଡାକ୍ତର ଲିଓପୋଲ୍ଡୋଙ୍କ ବାସଭବନ ଓ କ୍ଲିନିକ୍‌ର ଯାଞ୍ଚ କରାଯିବା ଉଚିତ୍।

ଆର୍ଜେଣ୍ଟିନାର ସମାଚାର ଏଜେନ୍ସି ଟେଲମ ଅନୁଯାୟୀ, ତଦନ୍ତକାରୀ ଦଳ ଏହା ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ଯେ, କଣ ମାରାଡୋନାଙ୍କ ନିଧନର ୨୪ ଘଣ୍ଟା ପୂର୍ବରୁ  ଡାକ୍ତରୀ ଦଳ ତାଙ୍କର ସଠିକ୍ ଯତ୍ନ ନେଇଥିଲେ କି ନାହିଁ। ଏହା ପୂର୍ବରୁ ଗୁରୁବାର ମାରାଡୋନାଙ୍କ ଓକିଲ ମାଥିୟାସ ମୋରଲା ମାରାଡୋନାଙ୍କ ନିଧନକୁ ନେଇ ତଦନ୍ତ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ, ବିଶ୍ଵ ବିଜୟୀ ଅଧିନାୟକଙ୍କ ଚିକିତ୍ସାରେ ଅବହେଳା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.