BCCIର ବୈଠକରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ, ଦାଦା ହେଲେ ସମାଲୋଚିତ

Published By : Prameya-News7 Bureau | October 11, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଧିକ ଦିନ ନିଜ ପଦରେ ରହିବେ ନାହିଁ। କାରଣ ଗାଙ୍ଗୁଲିଙ୍କ ସ୍ଥାନରେ ୧୯୮୩ ବିଶ୍ଵ କପ୍‌ ବିଜେତା ଦଳର ମହତ୍ଵପୂର୍ଣ୍ଣ ସଦସ୍ୟ ପୂର୍ବତନ ଦ୍ରୁତ ବୋଲର ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ହୋଇ ପାରନ୍ତି। ସଂପ୍ରତି ବିସିସିଆଇର ବୈଠକ ଚାଲିଛି। ବୈଠକରେ ଗାଙ୍ଗୁଲିଙ୍କ ଭବିଷ୍ୟତକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ବୋର୍ଡର ସାଧାରଣ ବାର୍ଷିକ ବୈଠକ(ଏଜିଏମ) ପ୍ରଥମେ ମଙ୍ଗଳବାର ହେବାର ଥିଲା। ମାତ୍ର କ୍ରିକବଜ୍‌ର ସୂଚନା ଅନୁଯାୟୀ, ଏହା ପୂର୍ବରୁ ଦିଲ୍ଲୀରେ ବୈଠକ ହୋଇଛି। ଏଥିରେ ବିସିସିଆଇ ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା କରାଯାଇଛି।

କୁହାଯାଉଛି, ବିସିସିଆଇ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟଶୈଳୀ ଯୋଗୁଁ ଗାଙ୍ଗୁଲିଙ୍କ ପଦରୁ ଓହରିବା ନିଶ୍ଚିତ ଲାଗୁଛି। ତେଣୁ ଏହାର ସମ୍ଭାବନା ଅଧିକ ଯେ, ଗାଙ୍ଗୁଲି ଅଧ୍ୟକ୍ଷ  ପଦ ପାଇଁ ପରବର୍ତ୍ତୀ ନିର୍ବାଚନ ଲଢିବେ ନାହିଁ। ତେଣୁ ପୂର୍ବତନ ଦ୍ରୁତ ବୋଲର ରୋଜର ବିନ୍ନିଙ୍କ ବିସିସିଆଇ ଅଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି।

ବିସିସିଆଇର ସମସ୍ତ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ମୁମ୍ବାଇରେ ଅକ୍ଟୋବର ୧୮ରେ ବିସିସିଆଇ ଅଧ୍ୟକ୍ଷ ପଦରେ ନିର୍ବାଚନ ହେବାକୁ ଯାଉଛି। ଅଧ୍ୟକ୍ଷ,  ଉପାଧ୍ୟକ୍ଷ, ସଂପାଦକ, ଯୁଗ୍ମ ସଂପାଦକ ଏବଂ କୋଷାଧ୍ୟକ୍ଷ ପଦରେ ନିର୍ବାଚନ  ହେବ। ଏଥିପାଇଁ ଅକ୍ଟୋବର ୧୧ ଏବଂ ୧୨ ତାରିଖରେ ନାମାଙ୍କନ ଦାଖଲ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.