KKଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଏସି ବନ୍ଦ, ଓଡିଟୋରିୟମରେ ପ୍ରବଳ ଭିଡ, ତଥାପି ଜାରି ରହିଥଲା ଇଭେଣ୍ଟ୍
1/06/2022 at 6:38 PM

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ କେକେ ଓରଫ କୃଷ୍ଣ କୁମାର କୁନ୍ନଥ ଆମ ଗହଣରେ ଆଉ ନାହାନ୍ତି। ମଙ୍ଗଳବାର କୋଲକାତାରେ ଏକ କନସର୍ଟ ସମୟରେ ଗାୟକଙ୍କ ସ୍ଵାସ୍ଥ୍ୟବସ୍ଥା ଅଚାନକ ବିଗିଡିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ହେଲେ କାହାକୁ ବା ଜଣାଥିଲା ଯେ, ରାସ୍ତାରେ ହିଁ କେକେ ଅନ୍ତିମ ନିଃଶ୍ଵାସ ନେବେ। ତାଙ୍କ ପରଲୋକରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକରେ ସମସ୍ତେ ସ୍ତବ୍ଧ। କେହି ବିଶ୍ଵାସ କରି ପାରୁ ନାହାନ୍ତି ଯେ, ୫୩ ବର୍ଷୀୟ ସିଙ୍ଗର କେକେ ଏମିତି ସଭିଙ୍କୁ ଛାଡି ଆରପାରିକୁ ଚାଲିଯିବେ। ତେବେ କେକେଙ୍କ ଅପ୍ରତ୍ୟାଶିକ ମୃତ୍ୟୁକୁ ନେଇ ଓମ ପୁରୀଙ୍କ ପୂର୍ବତନ ପତ୍ନୀ କୋଲକାତା ସହରକୁ ଦାୟୀ କରିଛନ୍ତି। କୋଲକାତା କେକେଙ୍କୁ ମାରି ଦେଇଥିବା ସେ କହିଛନ୍ତି।
ୟାରୋଁ ଦୋସ୍ତି ବଡି ଅଜିବ ହେ…କୋଲକାତାରେ ଆୟୋଜିତ କନସର୍ଟରେ କେକେ ଏହି ଗୀତ ଗାଇଥିଲେ। ଏହି ଗୀତକୁ ଗାଉଥିବା ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଇଭେଣ୍ଟରେ କେକେ ପ୍ରତିଟି ଯୁବକଙ୍କ ହୃଦୟରେ ଜୋସ୍ ଭରି ଦେଇଥିଲେ। କେକେଙ୍କୁ ଦେଖିବା ଏବଂ ଶୁଣିବା ପାଇଁ ହଜାର ହଜାର ସଂଖ୍ୟାରେ ଛାତ୍ର-ଛାତ୍ରୀଙ୍କ ଭିଡି ଓଡିଟୋରିୟମରେ ଜୁଟିଥିଲା। ହେଲେ ଅଚାନକ କେକେଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ଏସି କାମ କରିବା ବନ୍ଦ କରି ଦେଇଥିଲା। କେକେ ଟିକେ ବିଚଳିତ ଜଣା ପଡିଥିଲେ। ସେ ବାରମ୍ବାର ଝାଳ ପୋଛି ଚାଲିଥିଲେ। ଏହା ପରେ ବି କେକେ କନସର୍ଟ ବନ୍ଦ ନଥିଲେ ଏବଂ ଲଗାତାର ପରଫର୍ମ କରି ଚାଲିଥିଲେ।

ଓମ ପୁରୀଙ୍କ ପୂର୍ବତନ ପତ୍ନୀ ନନ୍ଦିତା ପୁରୀ କୋଲକାତାରେ ଆୟୋଜିତ ଏହି କନସର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଫେସବୁକରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗକୁ ଲଜ୍ଜା। କୋଲକାତା କେକେଙ୍କୁ ମାରି ଦେଇଛି। ନଜରୁଲ ମଞ୍ଚ ପକ୍ଷରୁ ଆୟୋଜନରେ ଠିକ୍ ଭାବେ ବ୍ୟବସ୍ଥା କରାଯାଇନଥିଲା। ଯେଉଁ ଓଡିଟୋରିୟମର କ୍ଷମତା ୨୫୦୦ ଥିଲା, ସେଠାରେ ସାତ ହଜାର ଲୋକଙ୍କ ଭିଡ ଜମିଥିଲା। ଏସି ଚାଲୁନଥିଲା। କେକେ ଲଗାତାର ଆୟୋଜକଙ୍କୁ ଏସିର ତାପମାତ୍ରା କମ କରିବା ଏବଂ କିଛି ହେଲୋଜିନ ଲାଇଟ୍ ବନ୍ଦ କରିବାକୁ ବାରମ୍ବାର କହୁଥିଲେ। ହେଲେ ତାଙ୍କ କଥାକୁ କେହି ଶୁଣିନଥିଲେ। ଶେଷରେ କେକେ ଅଣନିଃଶ୍ଵାସୀ ହୋଇ ପଡିଥିଲେ ଏବଂ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ। ସେଠାରେ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା ନଥିଲା। ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର ଏବଂ ବଲିଉଡ ପଶ୍ଚିମବଙ୍ଗରେ ନିଜର ଲାଇଭ କନସର୍ଟ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇବା ଉଚିତ୍ ବୋଲି ନନ୍ଦିତା ପୁରୀ କହିଛନ୍ତି।
କୋଲକାତାର ରବୀନ୍ଦ୍ର ସଦନରେ ତାଙ୍କୁ ତୋପ ସଲାମୀ ଦିଆଯାଇଛି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଆସନ୍ତାକାଲି କେକେଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।