ଛାତ୍ରୀ କହିଲେ ସାନିଟାରୀ ପ୍ୟାଡ୍‌ ଶସ୍ତାରେ ଦିଅ, ଆଇଏଏସ୍‌ କହିଲେ ମାଗଣା ଆଶା ବଦଳାଅ, ପୁଣି କହିବ କଣ୍ଡମ୍‌ ଦିଅ !

Published By : Prameya-News7 Bureau | September 28, 2022 IST

ପାଟନା, ୨୮/୦୯: ‘ସରକାର ମାଗଣାରେ ଯଦି ସାନିଟାରୀ ପ୍ୟାଡ୍‌ ଦେବେ ତାହେଲେ କହୁନ କଣ୍ଡମ୍‌ ବି ଦେବେ ତୁମକୁ’ ଏହି ଉକ୍ତିକୁ ନେଇ ବିବାଦରେ ମହିଳା ଆଇଏଏସ୍‌ ଅଧିକାରୀ । ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଝିଅଙ୍କୁ ସାନିଟାରୀ ପ୍ୟାଡ୍‌ କମ୍‌ ଦାମୀରେ ଯୋଗାଇ ଦେବାକୁ ଜଣେ ଛାତ୍ରୀ ପ୍ରଶ୍ନର ଦେଇଥିବା ଉତ୍ତରକୁ ନେଇ ବିବାଦରେ ଫଶିଛନ୍ତି ଏହି ଅଧିକାରୀ ।

ମିଳିଥିବା ସୂଚନା ଅନୁସାରେ ଏହି ମହିଳା ଆଇଏଏସ୍‌ ଅଧିକାରୀ ବିହାର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ କର୍ପୋରେସନ୍‌ର ମୁଖ୍ୟ ହରଜିତ୍‌ କୌର ଭମ୍ରା । ୟୁନିସେଫ୍‌ ଦ୍ୱାରା ଆୟୋଜିତ ଏକ ପ୍ରୋଗ୍ରାମରେ ଜଣେ ଛାତ୍ରୀ ମହିଳା ଏବଂ ପ୍ରାପ୍ତ ବୟସ୍କ ଝିଅଙ୍କୁ ସରକାର ଶସ୍ତାରେ ସାନିଟାରୀ ପ୍ୟାଡ୍‌ ଯୋଗାଇ ଦେବାନେଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅଧିକାରୀ ଜଣକ କହିଥିଲେ ଯେ ସରକାର କଣ ତୁମକୁ ସବୁ ମାଗଣାରେ ଦେବେ । ତୁମେ କଣ ଭାବୁଛ ପରିବାର ନିୟୋଜନ ପାଇଁ ସରକାର ତୁମକୁ କଣ୍ଡମ ଦେବେ । ଲୋକଙ୍କର ସରକାରଙ୍କ ଠାରୁ ଦାବି ଶେଷ ହେବାର ନାଁ ଧରୁନି । ମାଗଣା ପାଇବା ଆଶା ବଦଳାଇ ଦିଅ ।

ଖାଲି ସେତିକି ନୁହେଁ ଛାତ୍ରୀଙ୍କୁ କଥାରେ କଥାରେ ବହୁତ କିଛି କହିଯାଇଥିଲେ ଅଧିକାରୀ । ଆସନ୍ତା କାଲି ତୁମେ କହିବ ସରକାର ଆମକୁ ଜିନ୍ସ୍‌ ଦିଅ । ତେବେ କାହିଁକି ନକହିବ ତା ସହିତ ଭଲ ଜୋତା ଦିଅ ବୋଲି । ଏହି ସମୟରେ ଛାତ୍ରୀ ଜଣ ଭୋଟ କଥା ଉଠାଇଥିଲେ । ଏହାର ଉତ୍ତରରେ ସେ କହିଥିଲେ ଭୋଟ ଦିଅ ନାହିଁ, ପାକିସ୍ତାନ ଭଳି ରୁହ । ତୁମେ ଟଙ୍କା ଏବଂ ସେବା ପାଇଁ ଭୋଟ ଦଉଛ ?

ଏହାପରେ ଛାତ୍ରୀ ଜଣଙ୍କ ସ୍କୁଲରେ ଶୌଚାଳୟ ଭାଙ୍ଗି ଯାଇଥିବା ଏବଂ ତାକୁ ପୁଅ ଝିଅ ଏକାଠି ବ୍ୟବହାର କରିବା ନେଇ ପ୍ରଶ୍ନ କରିଥିଲେ । ଛାତ୍ରଛାତ୍ରୀମାନେ ପରିସ୍ରା ନଯିବା ପାଇଁ କମ୍‌ ପାଣି ପିଉଥିବା ମଧ୍ୟ କହିଥିଲେ। ଏହାର ଉତ୍ତରରେ ଅଧିକାରୀ କହିଥିଲେ ଯେ, ତୁମ ଘରେ କଣ ସମସ୍ତଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ହୋଇଛି କି ? ତୁମେ ଯଦି କହିବ ବିଭିନ୍ନ ଜାଗାରେ ସମସ୍ତ ଜିନିଷ ମିଳିବା ଦରାକର, ତେବେ କାମ କେମିତି ହେବ ।

ତୁମେ କାହିଁକି ସରକାର ସବୁ ଦେବେ ବୋଲି ଆଶା କରୁଛ । ଏପରି ଭାବିବା ତୁମର ଭୁଲ୍‌ । ତୁମକୁ ବଦଳିବାକୁ ପଡ଼ିବ । ତୁମେ କେଉଁଠିକୁ ଯିବ ତୁମେ ହିଁ ନିଷ୍ପତ୍ତି ନେବ । ତେଣୁ ସରକାରଙ୍କ ଠାରୁ ସବୁ ଆଶା କରିବା ବନ୍ଦ କର ।

ତେବେ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି ମହିଳା ଅଧିକାରୀ । ସେ କହିଛନ୍ତି ଯେ ତାଙ୍କ ଅଡ଼ିଓକୁ ଏଡିଟ୍ କରାଯାଇ ଏହାକୁ ଭାଇରାଲ୍‌ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.