ରାମ ରହିମଙ୍କ ପାରୋଲକୁ ନେଇ ଉଠିଲା ପ୍ରଶ୍ନ, ହରିୟାଣା-ପଞ୍ଜାବ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
9/02/2023 at 10:52 PM

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମୀତ ରାମ ରହିମ ସିଂଙ୍କୁ ବାରମ୍ବାର ମିଳୁଥିବା ପାରୋଲ ଉପରେ ଏବେ ଉଠିଛି ପ୍ରଶ୍ନ। ପାରୋଲକୁ ରଦ୍ଦ କରିବା ପାଇଁ ଶିରୋମଣି ଗୁରୁଦ୍ଵାରା ପ୍ରବନ୍ଧକ କମିଟି ପକ୍ଷରୁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଯାଚିକା ଦାୟର କରାଯାଇଛି। ଯାଚିକା ଉପରେ ହାଇକୋର୍ଟ ହରିୟାଣା ଏବଂ ପଞ୍ଜାବ ସରକାର ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୭ ତାରିଖ ଧାର୍ଯ୍ୟ କରାଯାଇଛି।
ଶିରୋମଣି ଗୁରୁଦ୍ଵାରା ପ୍ରବନ୍ଧକ କମିଟି ଯାଚିକାରେ ରାମ ରହିମଙ୍କ ପାରୋଲରେ ପଞ୍ଜାବର ମାହୋଲ ବିଗିଡିବାର ଆଶଙ୍କା ରହୁଥିବା ଉଲ୍ଲେଖ କରିଛି। ଏହା ପୂର୍ବରୁ ଏସଜିପିସି ଦ୍ଵାରା ହାଇକୋର୍ଟରେ ଗୁରମୀତ ରାମ ରହିମଙ୍କ ପାରୋଲ ବିରୋଧରେ ଯାଚିକା ଆଗତ କରାଯାଇଥିଲା। ତେବେ କୌଣସି ତ୍ରୁଟି କାରଣରୁ ଉକ୍ତ ଯାଚିକାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏବେ ପୁଣି ଥରେ ଏସଜିପିସି ଜନସ୍ଵାର୍ଥ ଯାଚିକା ଦାୟର କରି ହରିୟାଣା ସରକାର ଦ୍ଵାରା ପାରୋଲ୍ ଦେବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି।
ନିୟମ ଉଲ୍ଲଂଘନ କରୁଛନ୍ତି ହରିୟାଣା ସରକାର
ଯାଚିକାରେ ଅଭିଯୋଗ କରାଯାଇଛି ଯେ, ହରିୟାଣା ସରକାର ରାମ ରହିମଙ୍କୁ ୪୦ ଦିନର ପାରୋଲ ଦେଇ ସିଧାସଳଖ ନିୟମର ଉଲ୍ଲଂଘନ କରିଛନ୍ତି। ଡେରା ପ୍ରମୁଖ ଦୁଷ୍କର୍ମ ଏବଂ ହତ୍ୟା ପରି ସଙ୍ଗୀନ ଅପରାଧରେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ପଞ୍ଜାବରେ ମଧ୍ୟ ରାମ ରହିମଙ୍କ ବିରୋଧରେ ଅନେକ ମାମଲା ରହିଛି। ତାଙ୍କ ଅନୁଗାମୀଙ୍କ ଦ୍ଵାରା ଶ୍ରୀଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଅପମାନ କରାଯାଇଛି। ଏଥିରେ ଶିଖ ଏବଂ ରାମ ରହିମଙ୍କ ଅନୁଗାମୀଙ୍କ ମଧ୍ୟରେ ଅନେକ ବିବାଦ ରହିଛି। ଡେରା ପ୍ରମୁଖଙ୍କୁ ପାରୋଲ ମିଳୁଥିବାରୁ ଶିଖଙ୍କ ଭାବନାକୁ ଆଘାତ ଲାଗିଛି ଏବଂ ପଞ୍ଜାବରେ ଶାନ୍ତିଶୃଙ୍ଖଳା ପ୍ରତି ବିପଦ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି।