ରାଣୀ ଏଲିଜାବେଥଙ୍କ ଅନ୍ତିମ ଯାତ୍ରା ଆରମ୍ଭ, ସ୍ଵାମୀଙ୍କ ନିକଟରେ ଦିଆଯିବ କବର

Published By : Prameya-News7 Bureau | September 19, 2022 IST

ଲଣ୍ଡନ: ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହୋଇ ଯାଇଛି। ତାଙ୍କର ମରଶରୀର ଓ୍ଵେଷ୍ଟମିନଷ୍ଟର ଆବେ ବାହାରେ ପହଞ୍ଚି ସାରିଛି। ଆଉ କିଛି ସମୟ ପରେ ଏଠାରେ ମହାରାଣୀଙ୍କ ଶେଷକୃତ୍ୟ ସଂପନ୍ନ ହେବ। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସମଗ୍ର ଦୁନିଆରୁ ପ୍ରାୟ ୫୦୦ ନେତା ଏବଂ ରାଜ ପରିବାରର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି।

ବ୍ରିଟେନ୍ ଉପରେ ଲମ୍ବା ସମୟ ଧରି ଶାସନ କରିଥିବା ରାଣୀ ଏଲିଜାବେଥଙ୍କ ଶେଷ ବିଦାୟ ପାଇଁ ସମଗ୍ର ଦୁନିଆର ମାନ୍ୟଗଣ୍ୟ ବ୍ୟକ୍ତି ସମବେତ ହୋଇଛନ୍ତି। ୧୯୬୫ ପରେ ରାଜ ପରିବାରର ଏହା ପ୍ରଥମ ଅନ୍ତିମ ସଂସ୍କାର। ଏହି ସମୟରେ କିଙ୍ଗ ଚାର୍ଲ୍ସ ଏବଂ ବ୍ରିଟିଶ ରାକ ପରିବାରର ବରିଷ୍ଠ ସଦସ୍ୟ ଉପସ୍ଥିତ ଅଛନ୍ତି। ଅନ୍ତିମ ସଂସ୍କାର ପାଇଁ ଲଣ୍ଡନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ କଫିନ ଇଙ୍ଗ୍ଲିସ ଓକରେ ଏକ ଦଶନ୍ଧି ପୂର୍ବେ ତିଆରି କରାଯାଇଛି। ମହାରାଣୀଙ୍କ କଫିନ ଓ୍ଵେଷ୍ଟମିନଷ୍ଟର ଆବେରୁ ଲଣ୍ଡନର ଓ୍ଵେଲିଂଟନ ଆର୍କ ନିଆଯାଉଛି। ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରାଣୀଙ୍କୁ ତାଙ୍କ ସ୍ଵାମୀ ପ୍ରିନ୍ସ ଫିଲିପ୍, ଡ୍ୟୁକ୍ ଅଫ ଏଡିନବର୍ଗଙ୍କ ଠିକ ନିକଟରେ ତାଙ୍କୁ କବର ଦିଆଯିବ।ରାଣୀଙ୍କ କଫିନ ରାଜକୀୟ ପତାକାରେ ଢଙ୍କା ଯାଇଛି। ରାଜମୁକୁଟକୁ ଫୁଲ ସହିତ ତାଙ୍କ ଉପରେ ରଖାଯାଇଛି। ରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ଲଣ୍ଡନ ସହରର ଗଳି କନ୍ଦି ଖାଁ ଖାଁ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.