କାଲିଠୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ; ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
30/09/2018 at 4:07 PM

ପୁରୀ ୩୦/୯ : ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଆସନ୍ତାକାଲି ଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା। ଏଥିପାଇଁ ବାଇଶି ପାହାଚରୁ କୀର୍ତ୍ତନ ଚକଡ଼ା ଯାଏଁ ଧାଡ଼ି ଦର୍ଶନର ବ୍ୟବସ୍ଥା ସରିଛି। ଆଜି ଜିଲ୍ଲାପାଳ ଓ ଏସପି ଶ୍ରୀମନ୍ଦିର ଚତୁପାର୍ଶ୍ୱ ଓ ମନ୍ଦିର ଭିତରକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ତିନିଜଣିଆ ବିଶେଷଜ୍ଞ କମିଟି, ଆମିକସ୍ କ୍ୟୁରୀ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଠାରୁ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଉଛି। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଭକ୍ତ ମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏହି ବ୍ୟବସ୍ଥା ଅନେକ ଭକ୍ତ ସ୍ୱାଗତ କରିଛନ୍ତି।
ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ଓ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଆଜି ଶ୍ରୀମନ୍ଦିର ଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ତେବେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ମହିଳାଙ୍କ ପାଇଁ କଣ ବ୍ୟବସ୍ଥା ରହିବ ତା’ର ରୂପରେଖ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମନ୍ଦିରକୁ ପ୍ରତ୍ୟହ ୭୦ ରୁ ୮୦ ହଜାର ଏବଂ ରବିବାର ତଥା ଛୁଟି ଦିନ ଗୁଡ଼ିକରେ ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ଏଥିସହ ପୁରୀ ସହରରେ ପ୍ରାୟ ୧୦ ହଜାର ଲୋକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ପରୀକ୍ଷାମୂଳକ ଧାଡ଼ି ଦର୍ଶନ ବ୍ୟବସ୍ଥାରେ କଣ ତ୍ରୁଟି ବିଚ୍ୟୁତି ହେଉଛି, ବ୍ୟବସ୍ଥାକୁ କିଭଳି ଅଧିକ ଶୃଙ୍ଖଳିତ କରାଯାଇପାରିବ ତାହା ଆସନ୍ତାକାଲି ଅନୁଧ୍ୟାନ କରାଯିବ।
ବର୍ତ୍ତମାନ ବାଇଶିପାହାଚରେ ପିଣ୍ତଦାନ ଏବଂ ଆସନ୍ତା ୨ ତାରିଖରୁ ଶ୍ରୀମନ୍ଦିରରେ ଷୋଳ ପୂଜା ଓ ଗୁପ୍ତ ଗୁଣ୍ତିଚା ନୀତି ହେବ। ଏଭଳି ସ୍ଥଳେ ଧାଡ଼ି ଦର୍ଶନ ବ୍ୟବସ୍ଥା କିଭଳି ଫଳପ୍ରଦ ହୋଇପାରିବ ତାହା ଦେଖିବାର କଥା।