ଚିକିତ୍ସାକୁ ନେଇ ଢେଙ୍କାନାଳରେ ଡାକ୍ତର ଓ ପୂର୍ବତନ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ଝଗଡ଼ା, ପରସ୍ପର ବିରୋଧରେ ଥାନାରେ ଏଫ୍ଆଇଆର୍, ମେଡିକାଲ୍ କର୍ମଚାରୀଙ୍କ ଆନ୍ଦୋଳନ ଧମକ

Published By : Prameya-News7 Bureau | September 28, 2021 IST

ଢେଙ୍କାନାଳ, ୨୮/୦୯: ଢେଙ୍କାନାଳ ମୁଖ୍ୟ ଡକ୍ତରଖାନାରେ ଜଣେ ରୋଗୀକୁ ଚିକିତ୍ସା କରିବା ନେଇ ଡାକ୍ତର ଏବଂ ରୋଗୀଙ୍କ ମାଆଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଏହି ଘଟଣାରେ ଖୋଦ ଢେଙ୍କାନାଳର ପୂର୍ବତନ ପୌର ଅଧ୍ୟକ୍ଷାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି ହୋଇଛି । ଅନ୍ୟପଟେ ଉକ୍ତ ଡାକ୍ତରଙ୍କ ବିରୋଧରେ ମଧ୍ୟ ରୋଗୀଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଡାକ୍ତରଖାନାରେ ଜଣେ କର୍ତ୍ତବ୍ୟରତ ଡାକ୍ତର ରୋଗୀ ଦେଖିବାକୁ ନେଇ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିଥିବା ଉକ୍ତ ମହିଳା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଡାକ୍ତର ଜଣକ ତାଙ୍କୁ କୁଆଡ଼େ ଜୋତା ମାଡ଼ କରିବାକୁ  ଓ ହତ୍ୟା କରିବାକୁ ମହିଳା ଧମକ ଦେଇଥିବା କହିଛନ୍ତି ।  ଏପରି ତୁମୂଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ଖୋଦ ଢେଙ୍କାନାଳର ପୂର୍ବତନ ପୌର ଅଧ୍ୟକ୍ଷା ମୋନିକା ଶର୍ମାଙ୍କ ନାମରେ ଏପରି ବ୍ୟବହାର କରିଥିବା ଅଭିଯୋଗ ଉଠିଛି । ଏପରି ଘଟଣାର ଶିକାର ହୋଇଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା ରାଜକିଶୋର ସେଠି ବେଶ ମର୍ମାହତ ଓ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି  ପ୍ରକାଶ କରିଛନ୍ତି । ହେଲେ ଏଠି କିଏ ସତ ଏବଂ କିଏ ମିଛ କହୁଛି ତାହା ଜଣାପଡ଼ିନାହିଁ ।

wp:html https://www.youtube.com/watch?v=2NIut9hKeAk /wp:html

ଏ ସମ୍ପର୍କରେ ଡାକ୍ତର ରାଜକିଶୋର ସେଠି ଲିଖିତ ଅଭିଯୋଗ ପରେ  ଢେଙ୍କାନାଳ ଟାଉନ ଥାନା ପୋଲିସ ପୂର୍ବତନ ପୌର ଅଧ୍ୟକ୍ଷା ମୋନିକା ଶର୍ମାଙ୍କ ନାମରେ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କ ପ୍ରତି ଏପରି ବ୍ୟବହାରକୁ ବିରୋଧ କରିଛନ୍ତି ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ କର୍ମଚାରୀ । ଅଭିଯୁକ୍ତଙ୍କ ଗିରଫ ଓ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ଦାବିରେ ଏକ ସ୍ମାରକପତ୍ର ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଏହି ଘଟଣାରେ ପୂର୍ବତନ ପୌର ଅଧ୍ୟକ୍ଷା ମୋନିକା ଶର୍ମା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରିକି ସେ ମଧ୍ୟ ଡା ସେଠୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ନେଇ ଟାଉନ ଥାନାରେ ଏକ ପାଲଟା ମାମଲା ରୁଜୁ କରିଥିବା ଜଣାପଡିଛି। ମହିଳା ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ପୁଅକୁ ନେଇ ଡାକ୍ତରଖାନା ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ଏଠି ଗୋଗୀ ଦେଖି ପାରିବେ ନାହିଁ ବୋଲି କହିଥିଲେ । ତାଙ୍କର କ୍ଲିନିକ୍‌କୁ ପୁଅକୁ ନେଇ ଆସିବାକୁ କହିଥିଲେ । ହେଲେ ମହିଳା ରାଜି ହୋଇନଥିଲେ । ଏହାକୁ ବିରୋଧ କରିବାରୁ ଡାକ୍ତର ତାଙ୍କୁ ତୁ, ତା କରି ଖରାପ ବ୍ୟବହାର କରିଥିଲେ । ହେଲେ ଡାକ୍ତରଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ସେ ମଧ୍ୟ ଅଳ୍ପ କିଛି ଗାଳି ଗୁଲଜ କରିଥିବା କହିଛନ୍ତି । ଉଭୟ ପକ୍ଷ ଥାନାରେ ମାମଲା ରୁଜୁ କରିଛନ୍ତି । ହେଲେ ଉଭୟଙ୍କ ଭିତରୁ କାହାର ଅଭିଯୋଗ ସତ ସେ ନେଇ କିଛି ଜଣାପଡ଼ିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.