ନିର୍ବାଚନ ଆୟୋଗଙ୍କ ପରାମର୍ଶ; ସେନାକୁ ନେଇ ରାଜନୈତିକ ଟିପଣୀ ନ କରୁ କଂଗ୍ରେସ, ଧାର୍ମିକ ଓ ସାମ୍ପ୍ରଦାୟିକ ପ୍ରସଙ୍ଗରେ ଲଗାମ ଲଗାଉ ବିଜେପି

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୫: ନିର୍ବାଚନ ଆୟୋଗ ଜାତି,ସମୂଦାୟ, ଭାଷା ଓ ଧର୍ମ ଆଧାରରେ ନିର୍ବାଚନ ପ୍ରଚାର ଲାଗି ବିଜେପି ଓ କଂଗ୍ରେସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହି ମାମଲାରେ ଉଭୟ ପାର୍ଟିଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଏପରି ନ କରନ୍ତୁ। ଗୋଟିଏ ପଟେ ନିର୍ବାଚନ ଆୟୋଗ କଂଗ୍ରେସ ଷ୍ଟାର ପ୍ରଚାରକଙ୍କୁ ସୁରକ୍ଷାବଳଙ୍କ ରାଜନୀତିକରଣ ନ କରିବାକୁ ପରାମର୍ଶ ଦେଇଥିବା ବେଳେ ଅନ୍ୟପଟେ ବିଜେପିକୁ ଏପରି ଭାଷଣ ନ ଦେବାକୁ କହିଛନ୍ତି ଯାହା ସମାଜରେ ବିଭାଜନ ସୃଷ୍ଟି କରିବ। 

ଏହି ମାମଲାରେ ନିର୍ବାଚନ ଆୟୋଗ (ଇସିଆଇ) ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଷ୍ଟାର ପ୍ରଚାରକଙ୍କୁ ସେମାନଙ୍କ ଭାଷଣ ଠିକ୍ କରିବାକୁ, ସାବଧାନତା ଅବଲମ୍ବନ କରିବାକୁ ଓ ଶିଷ୍ଟାଚାର କାୟମ ରଖିବାକୁ ଫର୍ମାଲ ନୋଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ବିଜେପି ଓ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ନିର୍ବାଚନ ପ୍ରଚାର ମାନ ଖରାପ ହେଉଥିବାରୁ ଏହି ଆଦେଶ ଜାରି କରାଯାଇଛି। 

ନିର୍ବାଚନ ଆୟୋଗ ଉଭୟ ପାର୍ଟିର ଷ୍ଟାର ପ୍ରଚାରକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ସେମାନଙ୍କ ପ୍ରଚାରରେ ଧାର୍ମିକ ଓ ସାମ୍ପ୍ରଦାୟିକ ରଙ୍ଗ ଲଗାନ୍ତୁ ନାହିଁ। ନିର୍ବାଚନ ଆୟୋଗ ବିଜେପିକୁ ଏହା କହିଛନ୍ତି ଯେ ସେମାନେ ପ୍ରଚାର କାଳରେ ଏପରି ଭାଷଣ ନ ଦିଅନ୍ତୁ ଯାହା ସମାଜରେ ବିଭାଜନ ସୃଷ୍ଟିକରିବ। ସେହିପରି ନିର୍ବାଚନ ଆୟୋଗ କଂଗ୍ରେସକୁ ଏପରି ବୟାନରୁ ବର୍ତ୍ତିବାକୁ କହିଛନ୍ତି ଯାହା ଭୁଲ ଧାରଣା ଦେଉଛି। ଏହା ଛଡା ଅଗ୍ନିବୀର ଯୋଜନା ସମ୍ପର୍କରେ କହିବା ବେଳେ ରକ୍ଷା ବଳର ରାଜନୀତିକରଣ ନ କରିବାକୁ ଓ ସେମାନଙ୍କ ସାମାଜିକ ଆର୍ଥିକ ସ୍ଥିତି ସମ୍ପର୍କରେ ସମ୍ଭାବିତ ବିଭାଜନକାରୀ ବୟାନବାଜୀ ନ କରିବାକୁ କୁହାଯାଇଛି। 

ନିର୍ବାଚନ ଆୟୋଗ କହିଛନ୍ତି ଯେ ବିଜେପି ଓ କଂଗ୍ରେସକୁ ଭାରତୀୟ ଭୋଟରଙ୍କ ଗୁଣାତ୍ମକ ନିର୍ବାଚନ ଅଭିଜ୍ଞତାର ଉତ୍ତରାଧିକାରକୁ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବନି। ଏହା ଛଡା ନିର୍ବାଚନ ଆୟୋଗ ବିଜେପି ଓ କଂଗ୍ରେସ ପକ୍ଷରୁ ପରସ୍ପର ଉପରେ କରିଥିବା ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛନ୍ତି। ଆୟୋଗ କହିଛନ୍ତିଯେ କ୍ଷମତାସୀନ ପାର୍ଟିର ଉତ୍ତରଦାୟିତ୍ୱ ରହିବା ଦରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.