IPL ପ୍ଲେ-ଅଫ୍ ରାଉଣ୍ଡରେ ଗୁରୁ-ଶିଷ୍ୟ ମୁକାବିଲା, ଟଫ୍ ଫର୍ମରେ ଚେନ୍ନାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | October 10, 2021 IST

ଦୁବାଇ,୧୦/୧୦: ଆଇପିଏଲ୍‌୧୪ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି । ଆଜିଠୁ ପ୍ଲେ-ଅଫ୍‌ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ର ବିଜେତା ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ ହେବ ।

ପରାଜିତ ଦଳ ପାଇଁ ମଧ୍ୟ ଫାଇନାଲ୍‌ରେ ପହଞ୍ଚିବାକୁ ଆଉ ଏକ ସୁଯୋଗ ମିଳିବ । ପ୍ରଥମ ପ୍ରୟାସରେ ଫାଇନାଲ୍‌ରେ ପହଞ୍ଚିବାର ଆଶା ନେଇ ଉଭୟ ଦଳ ଆଜି ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳର ସମସ୍ତ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସବୁଠୁ ସନ୍ତୁଳିତ ଦଳ ରୂପେ ପ୍ରମାଣିତ କରିଛି । ଦଳର ପ୍ରଦର୍ଶନରେ ସ୍ଥିରତା ରହିଛି ।

୨୦୧୯ ସିଜନରେ ଦିଲ୍ଳୀ କ୍ୟାପିଟାଲ୍ସ ଦ୍ୱିତୀୟ କ୍ୱାଲିଫାୟରରେ ପରାଜିତ ହୋଇ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା । ଗତ ସିଜନରେ ଦଳକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଚଳିତ ବର୍ଷ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହି କ୍ୟାପିଟାଲ୍ସ ଦଳ କ୍ୱାଲିଫାୟର ଖେଳିବାକୁ ଯାଉଛି । ସୁପରକିଙ୍ଗ୍‌ସକୁ ହାଲ୍‌କା ଭାବେ ଗ୍ରହଣ କରିବା ମୁର୍ଖାମୀ ହେବ ।

ଦଳର ଏକାଧିକ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ ହେଁ ସେମାନଙ୍କ ଫିଟ୍‌ନେସ୍‌ ଓ ପ୍ରଦର୍ଶନରେ ଅବନତି ହୋଇନାହିଁ । ପ୍ରତିପକ୍ଷକୁ ହରାଇବା ପାଇଁ ଧୋନିଙ୍କ ରଣ କୌଶଳ ଯଥେଷ୍ଟ । ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକୱାଡ୍‌ ସମ୍ପ୍ରତି ସବୁଠୁ ଚର୍ଚ୍ଚିତ ଖେଳାଳି । ସେ ବିସ୍ଫୋରକ ବ୍ୟାଟିଂ ବଳରେ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ।

ସୁପରକିଙ୍ଗ୍‌ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । ସେହିପରି ଲିଗ୍‌ ପର୍ଯ୍ୟାୟରେ ସୁପରକିଙ୍ଗ୍‌ସ ସର୍ବାଧିକ ୧୦୦ଟି ଛକା ଓ କ୍ୟାପିଟାଲ୍ସ ସର୍ବନିମ୍ନ ୫୪ଟି ଛକା ମାରିଛନ୍ତି । ଲିଗ୍‌ ପର୍ଯ୍ୟାୟରେ କେବଳ ଚୌକା ଓ ଛକାରେ ସୁପରକିଙ୍ଗ୍‌ସ ଦଳ ମୋଟ୍‌ ୧୪୧୨ ରନ୍‌ ସଂଗ୍ରହ କରିଛି । ଦୁଇ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଲିଗ୍‌ ପର୍ଯ୍ୟାୟର ୨ଟି ଯାକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା । ଏଥର ସୁପରକିଙ୍ଗ୍‌ସ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.