ସ୍କର୍ପିଓରୁ ବାହାରିଲା ଅଜଗର, ଅଢେଇ ଘଣ୍ଟାର କସରତ ପରେ ସଫଳ ହେଲା ବନବିଭାଗ

Published By : Prameya-News7 Bureau | October 13, 2022 IST

ରାଉରକେଲା ୧୩/୧୦: ବୀରମିତ୍ରପୁର ସହରର ୧୧ ନଂ ୱାର୍ଡ଼ରେ ସ୍କର୍ପିଓ ଭିତରୁ ବାହାରିଲା ଅଜଗର ସାପ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁଯାୟୀ ଉକ୍ତ ୱାର୍ଡ଼ର କାଉନସିଲର ଜ୍ଞାନି ବାଗଙ୍କ ସ୍କର୍ପିଓ ତିନି ଦିନ ହେବ ଘର ସମୁଖରେ ରଖିଥିଲେ । ହେଲେ ଆଜି ସକାଳେ ସେ କୌଣସି କାର୍ଯ୍ୟରେ ଯିବା ପାଇଁ ସ୍କର୍ପିଓକୁ ଷ୍ଟାର୍ଟ କରିଥିଲେ । କିନ୍ତୁ ଗାଡିଟି ଷ୍ଟାର୍ଟ ହେବା ପରେ ବନ୍ଦ ହୋଇଯାଇଥିଲା । କଣ ପାଇଁ ଗାଡି ବନ୍ଦ ହେଲା ବୋଲି ଜ୍ଞାନି ଗାଡିର ବରନେଟ ଖୋଲି ଦେଖିବାରୁ ଭିତରେ ଗୋଟିଏ ଅଜଗର ସାପ ଥିଲା ।

ଏହା ଦେଖି ଜ୍ଞାନି ବୀରମିତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଢେଇ ଘଣ୍ଟା ଲାଗିବା ପରେ ଅଜଗରକୁ ଉଦ୍ଧାର କରିଥିଲେ । ଅଜଗରଟି ୯ ଫୁଟ ଲମ୍ବ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବନ ବିଭାଗ କର୍ମଚାରୀ ଉକ୍ତ ଅଜଗରକୁ ଜଙ୍ଗଲରେ ନେଇ ଛାଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.