ନ୍ୟୁକ୍ଲିୟର ଓ୍ବାର୍ ମୁହାଁ ଋଷ୍-ୟୁକ୍ରେନ ଯୁଦ୍ଧ; ପୁଟିନଙ୍କ ଗୁପ୍ତ ବୈଠକ, ଆଣବିକ ଅସ୍ତ୍ରରେ ଦିଆଯିବ କୀଭ୍ କ୍ରୁଜର ମିସାଇଲର ଜବାବ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: ୟୁକ୍ରେନକୁ ଉସୁକାଉଛନ୍ତି ପାଶ୍ଚାତ୍ୟ ଦେଶ । କ୍ରୁଜ୍ ମିସାଇଲ୍ ମାଡ଼ କରିପାରେ କୀଭ୍ । ଗୁପ୍ତ ବୈଠକ କଲେ ରାଷ୍ଟ୍ରପତି ପୁଟିନ୍ । ଆଣବିକ ଅସ୍ତ୍ରରେ ଜବାବ ଦେବାକୁ ପ୍ରସ୍ତୁତ ଋଷ୍ । ଘନେଇଲା ନ୍ୟୁକ୍ଲିୟର ଓ୍ବାର ଭୟ । ୟୁକ୍ରେନ-ଋଷ୍ ଯୁଦ୍ଧ ବିରାମ ଚର୍ଚ୍ଚା ଭିତରେ ଭୟାନକ ଯୁଦ୍ଧର ଆଭାସ ମିଳିଲାନି । ନୂଆ ରଣନୀତିରେ ଯୁଦ୍ଧ ପାଇଁ ଉଭୟ ପକ୍ଷ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ପାଶ୍ଚାତ୍ୟ ଦେଶଙ୍କ ଅନୁମତି ପରେ ମହାବିନାଶକ କ୍ରୁଜ୍ ମିସାଇଲ ପ୍ରୟୋଗ କରିବା ନେଇ ଯୋଜନା କରୁଛି ୟୁକ୍ରେନ । ଏହି ବାଲାଷ୍ଟିକ୍ ମିସାଇଲ୍ ଋଷ୍‌ର କୌଣସି ବି ପ୍ରାନ୍ତକୁ ହିଟ୍ କରିପାରେ । ଏପଟେ କିଛି ଦିନ ପୂର୍ବରୁ ଶାନ୍ତିର ବାର୍ତ୍ତା କଥା କହୁଥିବା ଋଷ୍ ରାଷ୍ଟ୍ରପତି, ଏହାର ଜବାବ ଦେବାକୁ ମହାଯୁଦ୍ଧର ପୃଷ୍ଠଭୂମି ପ୍ରସ୍ତୁତ କରିଛନ୍ତି । 

ୟୁକ୍ରେନକୁ କ୍ରୁଜ୍ ମିସାଇଲ୍ ପ୍ରୟୋଗ ଅନୁମତି ମିଳିବା ପରେ ପାଶ୍ଚାତ୍ୟ ଦେଶ ଉପରେ ଚିହିଁକି ଉଠିଛନ୍ତି ଋଷ୍ ରାଷ୍ଟ୍ରପତି । କ୍ରେମିଲିନରେ ସିକ୍ରେଟ୍ ମିଟିଂ କରି କୀଭକୁ ସିଧା ସିଧା ଚେତାବନୀ ଦେଇଛନ୍ତି ବିଶ୍ବ ଦ୍ବିତୀୟ ମହାଶକ୍ତି । ପୁଟିନ କହିଛନ୍ତି, ପଶ୍ଚିମ ଦେଶଗୁଡ଼ିକ ଯୁଦ୍ଧକୁ ଅଯଥା ଲମ୍ବେଇବାକୁ ଉପରେ ଚାପ ପକାଉଛନ୍ତି । ଏହାର ପରିଣାମ ଅତି ଭୟଙ୍କର ହେବ । କୀଭ୍ କ୍ରୁଜ୍ ମିସାଇଲ୍ ମାଡ଼ର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ ନେଇ ବିଚାର ଚାଲିଥିବା ଋଷ୍ ରାଷ୍ଟ୍ରପତି କହିଛନ୍ତି । ଖୁବଶୀଘ୍ର ମସ୍କୋରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏନେଇ ଦେଶବାସୀଙ୍କୁ ସମ୍ବୋଧିନ କରିବେ । 

ଗତ ସପ୍ତାହରେ ‘ଷ୍ଟର୍ମ ସ୍ୟାଡୋ’ କ୍ରୁଜ୍ ମିସାଇଲ୍ ପ୍ରୟୋଗ କରିବାକୁ ୟୁକ୍ରେନକୁ ଅନୁମତି ପ୍ରଦାନ କରିଛି ବ୍ରିଟେନ୍ । ଷ୍ଟର୍ମ ସ୍ୟାଡୋ କ୍ରୁଜ୍ ହେଉଛି ଲମ୍ବା ଦୂରତା ବିଶିଷ୍ଟ ମିସାଇଲ । ଏହାକୁ ବ୍ରିଟେନ୍ ଏବଂ ଫ୍ରାନ୍ସ ମିଳିତ ଭାବେ ବିକଶିତ କରିଛନ୍ତି । ଏହାର ଲକ୍ଷ୍ୟଭେଦ କ୍ଷମତା ୫୦୦ କିଲୋମିଟର । ଏହାକୁ ଫାଇଟର ଜେଟରେ ଲେସ୍ କରି ଅତି ସହଜରେ ଟାର୍ଗେଟକୁ ହିଟ୍ କରାଯାଇ ପାରିବ । ଯଦି ୟୁକ୍ରେନ ଋଷ୍ ଉପରେ ଏହି ମରାତ୍ମକ ମିସାଇଲ୍ ପ୍ରୟୋଗ କରେ ତେବେ ଯୁଦ୍ଧରେ ପାଶ୍ଚାତ୍ୟ ଦେଶ ସିଧାସଳଖ ସାମିଲ ବୋଲି ମାନିଯିବ ଏବଂ ଚୂଡାନ୍ତ ନିଷ୍ପତ୍ତି ଅନୁସାରେ ଜବାବ ଦିଆଯିବ ବୋଲି କ୍ରେମିଲିନ୍ ମୁଖପାତ୍ର କହିଛନ୍ତି ।  


ଋଷ୍ ଏକ ଆଣବିକ ଶକ୍ତି ସମ୍ପନ୍ନ ଦେଶ । ବିଶ୍ବର ୮୮ ପ୍ରତିଶତ ପରମାଣୁ ଅସ୍ତ୍ର ଋଷ୍ ଏବଂ ଆମେରିକା ନିକଟରେ ରହିଛି । ଏଥିମଧ୍ୟରୁ ମସ୍କୋ ପାଖରେ ରହିଛି ୬,୭୭୨ ନ୍ୟୁକ୍ଲିୟର ଅସ୍ତ୍ର । ଏଥିରେ ୧,୫୭୨ ଷ୍ଟ୍ରାଟିଜିକ୍ ପରମାଣୁ ଅସ୍ତ୍ରକୁ ବାଲଷ୍ଟିକ୍ ମିସାଇଲ୍, ସବ୍-ମେରାଇନ୍, ବମ୍ବରରେ ଲେସ୍ କରିଛି ଋଷ୍ । କ୍ରୁଜ୍ ମିସାଇଲ୍ ମାଡ଼ର ଆଭାସ ମିଳିବା କ୍ଷଣି ଏହା ତୁରନ୍ତ ଆକ୍ଟିଭେଟ୍ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.