କାହା କଥା ଶୁଣୁ ନାହାନ୍ତି ପୁଟ୍ଟିନ୍‌: କହିଲେ, 'ପ୍ରଥମେ ଅସ୍ତ୍ର ଛାଡୁ ୟୁକ୍ରେନ୍‌, ପରେ ଯାଇ ବନ୍ଦହେବ ଯୁଦ୍ଧ'

Published By : Prameya-News7 Bureau | March 06, 2022 IST

ନୂଆଦିଲ୍ଲୀ ୦୬/୦୩: 'ଯୁଦ୍ଧ ରୋକିବୁନି । ଜାରି ରହିବ ଆକ୍ରମଣ । ଯୁଦ୍ଧ ସେତେବେଳେ ବନ୍ଦ ହେବ ଯେତେବେଳେ ୟୁକ୍ରେନ୍ ଅସ୍ତ୍ର ଛାଡିବ' । ଏଭଳି ଢଙ୍ଗରେ ୟୁକ୍ରେନ୍‌କୁ ରୋକଠୋକ ଶୁଣାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନ୍ । ଏହା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି । ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ ଅପରେସନରେ ଏଯାଏଁ ଗଲାଣି ଶହଶହ ଜୀବନ । କ୍ରେମଲିନ୍‌ର ସମସ୍ତ ଦାବି ପୂରଣ କରିବା ପରେ ଯାଇ ଯୁଦ୍ଧ ବନ୍ଦ ହେବ ବୋଲି କହିଛନ୍ତି ଋଷିଆ ରାଷ୍ଟ୍ରପତି । ତୁର୍କୀ ରାଷ୍ଟ୍ରପତି ତେୟପ୍‌ ଏର୍ଦୋଗନ୍‌ଙ୍କ ସହ କଥା ହେବା ସମୟରେ ଏଭଳି କହିଛନ୍ତି ପୁଟ୍ଟିନ୍ ।

ତୁର୍କୀ ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପରେ ପୁଟ୍ଟିନ୍ କହିଛନ୍ତି ଯେ, ଯଦି ୟୁକ୍ରେନ୍ ଆମର ସବୁ ସର୍ତ୍ତ ଗ୍ରହଣ କରେ, ତେବେ ଯାଇ ଯୁଦ୍ଧ ଶେଷ ହେବ। ଋଷର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟ୍ଟିନ୍‌ ତୁର୍କୀ ରାଷ୍ଟ୍ରପତିଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ, ସର୍ତ୍ତ ଯେପର୍ଯ୍ୟନ୍ତ ଗ୍ରହଣ ନହୋଇଛି ଋଷ ସେନା ୟୁକ୍ରେନ୍‌ରୁ ଫେରିବାକୁ ପ୍ରସ୍ତୁତ ନୁହେଁ ।

ଏହା ପୂର୍ବରୁ ପିଏମ୍ ମୋଦିଙ୍କ ସମେତ ବିଶ୍ୱର ଅନେକ ନେତା ପୁଟ୍ଟିନ୍‌ଙ୍କ ସହ ୟୁକ୍ରେନ ବାବଦରେ କଥା ହୋଇଛନ୍ତି । ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବାକୁ ଅନୁରୋଧ କରିଛନ୍ତି । କିନ୍ତୁ ପୁଟ୍ଟିନ୍‌ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ଅପରପକ୍ଷେ ପୁଟ୍ଟିନ୍‌ କହିଛନ୍ତି ଯେ, ନରସଂହାର ରୋକିବା ପାଇଁ ୟୁକ୍ରେନ୍‌ ଉପ​‌ରେ ଆକ୍ରମଣ କରାଯାଇଛି ।

ପଶ୍ଚିମୀ ଦେଶଗୁଡିକ ସହିତ ୟୁକ୍ରେନର ଘନିଷ୍ଠତା ଏବଂ ନାଟୋରେ ଯୋଗଦେବା ପ୍ରସଙ୍ଗକୁ ନେଇ ଜାତୀୟ ସୁରକ୍ଷାର ଦ୍ବାହୀ ଦେଇ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା ଋଷ । ୟୁକ୍ରେନ୍‌ର ସାମରିକ ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ ନକରିବା ଯାଏଁ ଯୁଦ୍ଧ ବନ୍ଦ ହେବନି ବୋଲି ମସ୍କୋ କହିସାରିଛି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍‌ଙ୍କ ସହ କଥା ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ଧରି ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.