ବଢିଲା ବିବାଦ, ଆମେରିକା ସହ ପରମାଣୁ ରାଜିନାମା ବାତିଲ କଲା ରୁଷ, ପୁଟିନ ଦେଲେ ଚେତାବନୀ
21/02/2023 at 6:04 PM

ନୂଆଦିଲ୍ଲୀ: ବାଇଡେନଙ୍କ ୟୁକ୍ରେନ ଗସ୍ତ ପରେ ଏବେ ରୁଷ ରାଷ୍ଟ୍ରପତି ପୁଟିନ ଆହୁରି ଆକ୍ରମଣାତ୍ମକ ହୋଇଛନ୍ତି । କଡ଼ା ପଦକ୍ଷେପ ନେଇ ଘୋଷଣା କରିଛନ୍ତି । ଆମେରିକା ସହ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ପୁଟିନ ବାତିଲ କରିଛନ୍ତି । ଏହି ଚୁକ୍ତିକୁ ନ୍ୟୁ ଷ୍ଟାର୍ଟ ନ୍ୟୁକ୍ଲିୟର ଟ୍ରିଟି ନାଁରେ ଦୁନିଆରେ ଲୋକେ ଜାଣିଛନ୍ତି । ପୁଟିନ କହିଛନ୍ତି ଯେ ଯଦି ଆମେରିକା ପରମାଣୁ ହତିଆର ପରୀକ୍ଷଣ କରେ, ତେହେ ରୁଷ ମଧ୍ୟ ଏହିପରି କରିବା ପାଇଁ ପ୍ରସ୍ତୁତ ଅଛି ।
ଉଲ୍ଲେଖଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ୨୦୧୦ରେ ଏହି ପରମାଣୁ ଚୁକ୍ତି ଉପରେ ସହମତି ପ୍ରକାଶ ପାଇଥିଲା । ରୁଷ-ଆମେରିକା ମଧ୍ୟରେ ଏହା ଏକମାତ୍ର ପରମାଣୁ ଚୁକ୍ତ ରାଜିନାମା ଥିଲା । ଏବେ ଏହାକୁ ମଧ୍ୟ ସସପେଣ୍ଡ କରାଯାଇଛି । ଏହି ଚୁକ୍ତି ଉଭୟ ପକ୍ଷର ସାମରିକ ପରମାଣୁ ହତିଆରକୁ ସୀମିତ କରିବା ନେଇ ହୋଇଥିଲା ।
୨୦୧୦ରେ ପ୍ରାଗ୍ୟୁରେ ନୂଆ START ରାଜିନାମା ଉପରେ ଉଭୟ ଦେଶ ହସ୍ତାକ୍ଷର କରିଥିଲେ । ଗୋଟିଏ ବର୍ଷ ପରେ ଏହା ଲାଗୁ ହୋଇଥିଲା । ୨୦୨୧ରେ ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନ ଦାୟିତ୍ୱ ଗ୍ରହଣ କରିବା ପରେ ପାଞ୍ଚ ବର୍ଷ ପାଇଁ ଏହାକୁ ବଢାଇ ଦେଇଥିଲେ । ଏହି ରାଜିନାମା ଆମେରିକା ଏବଂ ରୁଷ ଦ୍ୱାରା ମୁତୟନ କରାଯାଉଥିବା ପରମାଣୁ ହତିଆରର ସଂଖ୍ୟା ସୀମିତ କରୁଥିଲା । ଏହା ଜରିଆରେ ଭୂମି ଏବଂ ବୁଡାଜାହାଜରେ ମିଶାଇଲ ଏବଂ ବୋମାବର୍ଷକ ମୁତୟନକୁ ସୀମିତ କରାଯାଉଥିଲା ।