ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ପୁଟିନ, ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି
5/02/2023 at 6:39 PM

ନୂଆଦିଲ୍ଲୀ: ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ମଫତାଲୀ ବେନେଟ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ସମୟରେ କିଛି ଦିନ ପାଇଁ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିଥିଲେ । ବେନେଟ ଏବେ ଦାବି କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ପୁଟିନ ନିଜର ୟୁକ୍ରେନ ସମକକ୍ଷ ଜେଲେନସ୍କିଙ୍କ ହତ୍ୟା କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ବେନେଟ ହାତ ଗଣତି କିଛି ନେତା ମଧ୍ୟରେ ସାମିଲ ଥିଲେ, ଯେଉଁମାନେ ଗତ ବର୍ଷ ମାର୍ଚ୍ଚରେ ପୁଟିନଙ୍କୁ ଭେଟିଥିଲେ ।
ତେବେ ବେନେଟଙ୍କ ପ୍ରୟାସ ସଫଳ ହୋଇ ନଥିଲା, ଫଳସ୍ୱରୁପ ଯୁଦ୍ଧ ଏବେ ବି ଜାରି ରହିଛି । ଶନିବାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇସ୍ରାଏଲ ପୂର୍ବତନ ପ୍ରଧାନମନ୍ତ୍ରୀ ବେନେଟ ଏହି ସୂଚନା ଦେଇଛନ୍ତି । ୪ ଘଣ୍ଟାର ସାକ୍ଷାତକାରରେ ବେନେଟ ବିଭିନ୍ନ ଦିଗରେ ଉପରେ ନିଜ କଥା ରଖିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଚାହୁଁଛନ୍ତି କି ବୋଲି ସେ ପୁଟିନଙ୍କୁ ପ୍ରଶ୍ନ କରିଥିଲେ ।
ବେନେଟେ କହିଛନ୍ତି, ‘ମୁଁ ପଚାରିଥିଲି ଆପଣଙ୍କ ଏହି ବିଷୟରେ କଣ କହିବେ ? ଜେଲେନସ୍କିଙ୍କୁ ହତ୍ୟା କରିବା ଆପଣଙ୍କ ଯୋଜନା କି ? ସେ (ପୁଟିନ) କହିଥିଲେ ଯେ ସେ ଜେଲେନସ୍କିଙ୍କୁ ମାରିବେ ନାହିଁ । ସେହି ସମୟରେ ମୁଁ କହିଥିଲେ ଯେ ଆପଣ ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି କି, ଏହାପରେ ସେ କହିଥିଲେ ମୁଁ ଜେଲେନସ୍କିଙ୍କୁ ହତ୍ୟା କରିବି ନାହିଁ ‘। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାପରେ ସେ ଜେଲେନସ୍କିଙ୍କୁ ପୁଟିନଙ୍କ ପ୍ରତିଶ୍ରୁତି ବିଷୟରେ ଅବଗତ କରାଇଥିଲେ ।