ଭାରତୀୟମାନେ ଖୁବ୍‌ ପ୍ରତିଭାବାନ ଓ ସୁପରିଚାଳିତ: ଭ୍ଲାଦିମିର ପୁଟିନ

Published By : Prameya-News7 Bureau | November 05, 2022 IST

ମସ୍କୋ: ପୁଣି ଭାରତ ପ୍ରଶଂସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଭାରତୀୟମାନେ ଖୁବ୍ ପ୍ରତିଭାବାନ ଓ ପରିଚାଳିତ। ବିକାଶ ଦିଗରେ ଅଭୂତପୂର୍ବ ସଫଳତା ପାଇବା ପାଇଁ ସେମାନଙ୍କ ଠାରେ ଦକ୍ଷତା ଅଛି ବୋଲି ପୁଟିନ କହିଛନ୍ତି। ନଭେମ୍ବର ୪ ତାରିଖରେ ଋଷ ୟୁନିଟି ଡେ ଅବସରରେ ଭାରତୀୟଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୁଟିନ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକମାନଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି “ ଭାରତକୁ ଦେଖନ୍ତୁ। ଭାରତର ଲୋକମାନେ ନିଜର ଆନ୍ତରିକ ବିକାଶ ପାଇଁ ତାଙ୍କ ପାଖରେ ଦକ୍ଷତା ରହିଛି। ସେମାନେ ଏଥିପାଇଁ ଖୁବ୍ ସୁଗଠିତ। ବିକାଶ କ୍ଷେତ୍ରରେ ଏମାନେ ଖୁବ୍‌ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଭାରତର ପାଖାପାଖି ଦେଢ ଆରବ ଲୋକଙ୍କ ପାଖରେ ଏମିତି ଦକ୍ଷତା ଅଛି।”

ବିଭିନ୍ନ କାର୍ଯ୍ୟକ୍ରମରେ ପୁଟିନଙ୍କର ଭାରତୀୟଙ୍କୁ ଏଭଳି ପ୍ରଶଂସା ନୂଆ ନୁହେଁ। ସେ ଏପରି ଅନେକ ଥର ପ୍ରଶଂସା କରିଛନ୍ତି। ନିକଟରେ ୟୁକ୍ରେନ୍ ଯୁଦ୍ଧକୁ ନେଇ ସେ ଭାରତର ବିଦେଶ ନୀତିକୁ ଖୁବ୍ ପ୍ରଶଂସା କରିଥିଲେ। ଭାରତ ନେତାମାନଙ୍କର କୂଟନୀତି ପରିଚାଳନା ଶୈଳୀକୁ ତାରିଫ କରିଥିଲେ। ସୂଚନା ଥାଉକି ଆସନ୍ତା ସପ୍ତାହରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମସ୍କୋ ଗସ୍ତରେ ଯିବେ। ଏହା ପୂର୍ବରୁ ଭାରତକୁ ପ୍ରଶଂସା କରି ଏପରି କହିଛନ୍ତି ପୁଟିନ।

ଜୟଶଙ୍କର ନଭେମ୍ବର ୭ ଓ ୮ ଏହି ଦୁଇ ଦିନିଆ ମସ୍କୋ ଗସ୍ତରେ ଯାଇ ଋଷ ବିଦେଶ ମନ୍ତ୍ରୀ ସର୍ଗେ ଲାବରବଙ୍କୁ ଭେଟିବେ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାଖିକ ଆଲୋଚନା ହେବ। ଋଷ ଉପପ୍ରଧାନମନ୍ତ୍ରୀ ବା ବାଣିଜ୍ୟ ମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କ ସହ ମଧ୍ୟ ଭେଟିବେ ଜୟଶଙ୍କର। ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟ ବିଷୟ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.