ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢିବେ ଋଷ କଏଦୀ, ବଦଳରେ ଜେଲରୁ ମିଳିବ ମୁକ୍ତି : ପୁଟିନଙ୍କ ଅଫରକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | August 13, 2022 IST

ମସ୍କୋ,୧3|୮: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌  ପୁଟିନ୍‌ ଏବେ ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା  କଏଦୀଙ୍କୁ ଏକ ବିଶେଷ ଅଫର ଦେଇଛନ୍ତି । କହିଛନ୍ତି,  ୟୁକ୍ରେନ୍‌ରେ ଜାରି ରହିଥିବା ଯୁଦ୍ଧରେ ସାମିଲ ହୁଅ । ଦେଶ  ପାଇଁ ଲଢ଼ । ସେଠାରେ ୟୁକ୍ରେନୀୟ ସୈନ୍ୟ ବିରୋଧରେ  ଲଢ଼ିଲେ ଜେଲରୁ ସବୁଦିନ ପାଇଁ ମୁକ୍ତି ମିଳିବ । ପୁଟିନ୍‌ଙ୍କ ଏଭଳି ଅଫରରେ ଆଜୀବନ ସଜା  କାଟୁଥିବା କଏଦୀମାନେ ଆକୃଷ୍ଟ ହୋଇଛନ୍ତି । ୧୦ ବର୍ଷ  ଓ ତଦୂଦ୍ଧ୍ୱର୍ ଜେଲ ଦଣ୍ଡାଦେଶ ପାଇଥିବା କଏଦୀମାନେ  ମଧ୍ୟ ଏଥିପାଇଁ ମନ ବଳାଇଛନ୍ତି । ଏବେ କଏଦୀ ଓ  ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଫୋନ୍‌ରେ  ବିଚାରବିମର୍ଶ ହେଉଛି ।

ରାଷ୍ଟ୍ରପତି ପୁଟିନ୍‌ଙ୍କ ଏହି  ଅଫରକୁ ଗ୍ରହଣ କରିବେ କି ନାହିଁ ତାହା ଉପରେ  ଆଲୋଚନା ହେଉଛି । କିଛି କଏଦୀ ଏହି ଅଫର୍‌କୁ  ଗ୍ରହଣ ବି କରିନେଇଛନ୍ତି । ୟୁକ୍ରେନ୍‌ରେ ଚଳିତବର୍ଷ  ଫେବ୍ରୁଆରୀ ୨୪ରୁ ରୁଷ ଯୁଦ୍ଧ ଜାରି ରଖିଛି । ଏହା  ଥମିବାର ନାଁ ଧରୁନାହିଁ । ଛୋଟ ଦେଶ ହେଲେ ବି  ୟୁକ୍ରେନ୍‌ ଜୋରଦାର ଜବାବ ଦେଉଛି । ଯୁଦ୍ଧ ଆରମ୍ଭରୁ  ଏ ପର୍ଯ୍ୟନ୍ତ ରୁଷ ଏହାର ପ୍ରାୟ ୭୫,୦୦୦ ସୈନ୍ୟ  ହରାଇଥିବା ପାଶ୍ଚାତ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏଭଳି  ସ୍ଥିତିରେ କଏଦୀଙ୍କୁ ବ୍ୟବହାର କରିବା ପାଇଁ ପୁଟିନ୍‌  ବାଧ୍ୟ ହୋଇଛନ୍ତି । ଶାରୀରିକ ଦୃଷ୍ଟିରୁ ଫିଟ୍‌ ଥିବା ଯୁବ  ବର୍ଗର କଏଦୀମାନଙ୍କୁ ପ୍ରଥମ ପସନ୍ଦ ଭାବେ ଚୟନ  କରାଯାଇ ଅଫର ଦିଆଯାଉଛି । ଏମିତି କି ଯୁଦ୍ଧ ପାଇଁ  ପାରିଶ୍ରମିକ ଦେବା ଲାଗି ମଧ୍ୟ କୁହାଯାଉଛି ।

ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ମାସାଧିକ କାଳ  ଅନୁସନ୍ଧାନ କରିବା ପରେ ଏହି ଖବର ପାଇଛି ।  ରୁଷ୍‌ର ସଦ୍ୟ ସେନା ନିଯୁକ୍ତି ସ୍କିମ୍‌ରେ କଏଦୀମାନଙ୍କୁ  ସାମିଲ କରାଯାଇଛି । କଏଦୀଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ  ବି ନିଯୁକ୍ତି ଦିଆଯାଉଛି । ଡଜନେରୁ ଅଧିକ ଜେଲରେ  ବନ୍ଦୀ ଥିବା ଶହ ଶହ କଏଦୀଙ୍କ ପାଖକୁ ସେନା  ଯାଇ ଖୋଲାଖୋଲି ଭାବେ ଅଫର ଦେଉଛି । ଏହି  କଏଦୀମାନଙ୍କ ମଧ୍ୟରେ ହତ୍ୟାକାରୀ, ନିଶାଦ୍ରବ୍ୟ  ଚୋରା ଚାଲାଣକାରୀ ଭଳି ଅପରାଧୀ ରହିଛନ୍ତି ।  କିଛି କଏଦୀ ସେନାରେ ସାମିଲ ହୋଇସାରିଲେଣି । ୟୁକ୍ରେନ୍‌ ଯୁଦ୍ଧରେ ପ୍ରାଣ ହରାଇବା ଆଶଙ୍କା ଅଧିକ  ଥିବା ସତ୍ତେ୍ୱ ଅଧିକାଂଶ କଏଦୀ ପୁଟିନ୍‌ଙ୍କ ଅଫରକୁ  ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।

ତେବେ ରୁଷ  ସେନା ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ହତ୍ୟାକାରୀଙ୍କୁ ଜେଲରୁ  ନେବ ପଛେ, ବଳାତ୍କାରୀ, ଆତଙ୍କବାଦୀ ଓ ନକ୍ସଲଙ୍କୁ  ନେବନାହିଁ । ସର୍ବକ୍ଷମା କିମ୍ବା ୬ ମାସ ମଧ୍ୟରେ ମୁକ୍ତି  ପାଇଁ ଅଫର ଦିଆଯାଉଛି । ମାସକୁ ୧ ଲକ୍ଷ କିମ୍ବା ୨  ଲକ୍ଷ ରୁବଲ୍‌ ଦିଆଯିବ ବୋଲି କୁହାଯାଉଛି । ଜଣେ କଏଦୀ ନାମ ଗୋପନ ରଖିବା ସର୍ତ୍ତରେ  କହିଛନ୍ତି, ମୋ ସାମ୍ନାରେ ଏବେ ଦୁଇଟି ରାସ୍ତା ରହିଛି ।  ୧୦ ବର୍ଷ ଧରି ଜେଲରେ ରହିବି ନା ୬ ମାସ ମଧ୍ୟରେ  ମୁକୁଳିବି? ଯୁଦ୍ଧରେ ଯଦି ଜୀବନ ରହିଗଲା, ତେବେ  ୬ ମାସ ମଧ୍ୟରେ ମୁକୁଳିବା ସମ୍ଭାବନା ରହିଛି ।  ଅନ୍ୟଥା ଜେଲର କାଳ କୋଠରିରେ ଦିନ କାଟିବାକୁ  ପଡ଼ିବ । ମୁଁ ମୋ ପିଲାମାନଙ୍କୁ ଶୀଘ୍ର ଦେଖିବାକୁ  ଚାହୁଁଛି । ଯଦି ଆମକୁ ବିକଳ୍ପ ମିଳୁଛି, ତେବେ ଏହାକୁ  ଗ୍ରହଣ କରିବୁ ନାହିଁ କାହିଁକି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.