କିଏଭରେ ପୁଣି ଆତଙ୍କ ଖେଳାଇଲା ପୁଟିନ ସେନା, ବିମାନରୁ କଲା ମିସାଇଲ ଆକ୍ରମଣ

Published By : Prameya-News7 Bureau | June 06, 2022 IST

କିଏଭ୍‌,୦୬/୦୬: ୟୁକ୍ରେନ୍‌ ରାଜଧାନୀ କିଏଭ୍‌ରେ ଶାନ୍ତି ଭଙ୍ଗ କରି ପୁଣି ଆତଙ୍କ ଖେଳାଇଛି ପୁଟିନ୍‌ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର । ପୁଣି ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଧାଁଦଉଡ଼ । ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷୀୟ ସୈନ୍ୟ ।

କିଏଭ୍‌ ମେୟର ଭିଟାଲି କ୍ଲିସ୍‌କୋଙ୍କ ସୂଚନା ଅନୁସାରେ ରବିବାର ଭୋର ସମୟରେ ରାଜଧାନୀ ଉପରେ ହମ୍‌ଲା ହୋଇଛି । ଅଚାନକ ରୁଷ ସେନା ବିମାନରୁ ମିସାଇଲ ମାଡ଼ କରି ବ୍ୟାପକ ଭିତ୍ତିଭୂମି କ୍ଷତି ଘଟାଇଛନ୍ତି । ଏଥିରେ କେହି ପ୍ରାଣ ହରାଇ ନାହାନ୍ତି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଆକ୍ରମଣ ଯୋଗୁ ରାଜଧାନୀ ପୁଣି ଅଶାନ୍ତ ହୋଇପଡ଼ିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏପ୍ରିଲ ୨୮ରେ କିଏଭ୍‌ ଗସ୍ତ କରିଥିଲେ । ତାହ ପରଠାରୁ ଏଭଳି ବଡ଼ଧରଣର ଆକ୍ରମଣ ହୋଇ ନ ଥିଲା ।

କିଏଭ୍‌ ଉପରୁ ଦୃଷ୍ଟି ହଟାଇ କେବଳ ପୂର୍ବାଞ୍ଚଳ ଡୋନ୍‌ବାସ୍‌ ଉପରେ ପୁଟିନ୍‌ ସେନା ଫୋକସ୍‌ କରିବେ ବୋଲି କୁହାଯାଉଥିଲା । କିନ୍ତୁ ସେ ସବୁ ଭୁଲ ପ୍ରମାଣିତ ହୋଇଛି । ଏବେ ବି କିଏଭ୍‌ ଉପରେ ହମଲା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଗ୍ରହୀ ଥିବା ସ୍ପଷ୍ଟ ହୋଇଛି । କେବଳ ପୂର୍ବାଞ୍ଚଳ ନୁହେଁ ବରଂ ଦେଶବ୍ୟାପୀ ଯୁଦ୍ଧ ଚଳାଇବା ଲାଗି ରୁଷ ସେନା ରଣନୀତି ତିଆରି କରିଛି ।

ରୁଷ ସେନା କିଏଭ୍‌ର ଡାରନିସ୍କି ଓ ଦିନିପ୍ରୋଭସ୍କି ଉପରେ ଆଜି ମିସାଇଲ ମାଡ଼ କରିଛି । ସେମାନେ କେବଳ ଭିତ୍ତିଭୂମି ଉପରେ ଟାର୍ଗେଟ୍‌ କରିଛନ୍ତି । ଏହାପରେ ଘଟଣାସ୍ଥଳରେ ଜରୁରି ସେବା ବ୍ୟବସ୍ଥା ପହଞ୍ଚା ଯାଇଛି । କିଏଭ୍‌ର ପୂର୍ବ ପଟେ ଥିବା ଡାରନିସ୍କିରେ ଆକାଶ ଧୂଆଁମୟ ହୋଇଯାଇଛି । ଏଠାକାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୁତାବକ ଘନଘନ ବିସ୍ଫୋରଣ ଶବ୍ଦ ଶୁଣିବା ପରେ ସେ ଝରକା ବାହାରକୁ ଚାହିଁଥିଲେ । ପୂର୍ବରୁ ଯଦିଓ ଏହି ଅଞ୍ଚଳରେ ଆକ୍ରମଣ ହୋଇଥିଲା, ସେତେଟା କ୍ଷତି ହୋଇ ନ ଥିଲା । କିନ୍ତୁ ଏଥର ଆକ୍ରମଣ ଭିନ୍ନ ଜଣାପଡୁଛି । ପୂର୍ବ ୟୁକ୍ରେନ୍‌ରେ ବି ଆକ୍ରମଣ ପୂର୍ବଭଳି ଜାରି ରହିଛି ।

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ମୁତାବକ, କିଏଭ୍‌ ଉପରେ ଆକ୍ରମଣ କରି ରୁଷ୍‌ର ସୈନ୍ୟମାନେ ୟୁକ୍ରେନ୍‌ର ବିପୁଳ କ୍ଷତି ଘଟାଇଛନ୍ତି । ସଦ୍ୟ ହମ୍‌ଲାରେ ଟି-୭୨ ଟ୍ୟାଙ୍କ ଓ ଅନ୍ୟ ଯୁଦ୍ଧ ଯାନ ସାମିଲ ରହିଛି । ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ପକ୍ଷରୁ ଏହି ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.