ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ରାଜରାଜେଶ୍ୱର ଦର୍ଶନ ଦେବେ ଶ୍ରୀଜୀଉ

Published By : Prameya-News7 Bureau | January 06, 2023 IST

ଭୁବନେଶ୍ୱର ୦୬/୦୧: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବା ସହ ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହେବେ ।

ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ। ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ହେବା ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ।

ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଅନ୍ୟପଟେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ରାଜନହରରେ ଅନୁଷ୍ଠିତ ହେବ।

ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜ ଅଭିଷେକ ହେବେ। ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ ଦେବେ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣ ମାନେ ଆଶିଷ ମଧ୍ୟ ଦେଇଥାନ୍ତି।‌ ଏହାସହ ଆଜି ସନ୍ଧ୍ୟାରେ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ମହୋଦଧି ଆରତୀ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.