ଦୁବାଇରେ ଧୁମଧାମରେ ପାଳନ ହେଲା ପୁଷପୁନି, ଓଡିଆ ପରମ୍ପରା ଏବଂ ସଂସ୍କୃତି ଶିଖିବା ଉପରେ ଗୁରୁତ୍ଵ

Published By : Prameya-News7 Bureau | January 17, 2023 IST

ଭୁବନେଶ୍ଵର: ପୁଷପୁନି ଉତ୍ସବକୁ ଦୁବାଇରେ ବେଶ୍ ଉତ୍ସାହ ସହ ପାଳନ କରାଯାଇଛି। ନୂଆଁଖାଇ ପରେ ପଶ୍ଚିମ ଓଡିଶାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ ପର୍ବ ହେଉଛି ପୁଷପୁନି । କୃଷି ପ୍ରାଧାନ୍ୟ ଅଞ୍ଚଳ ପାଇଁ  ବିଶେଷ ମହତ୍ତ୍ୱ ରଖିଥାଏ  ଏହି ପର୍ବ।

ୟୁଏଇର ନୂଆଁଖାଇ ପରିବାର ଦ୍ଵାରା ଆୟୋଜିତ ଏହି ଚିତାକର୍ଷକ ମହୋତ୍ସବ  ୨୦୨୩ ଜାନୁୟାରୀ ୧୫ରେ ଦୁବାଇର କ୍ରିକ୍ ପାର୍କରେ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହାକୁ ଖୁବ ଜାକଜମକ ଏବଂ ଆନନ୍ଦରେ ପାଳନ କରାଯାଇଥିଲା। ପୁଷପୁନି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୟୁଏଇର ବିଭିନ୍ନ ଅଂଚଳରେ ରହୁଥିବା ଓଡିଆମାନେ ସେମାନଙ୍କ ପରିବାର ଏବଂ ପିଲାମାନଙ୍କ ସହିତ ଏହି ଉତ୍ସବ ପାଳନରେ ସାମିଲ ହୋଇଥିଲେ |

ଏହି ଅବସରରେ ଆୟୋଜକ କହିଛନ୍ତି,  ଏହି ମହୋତ୍ସବର ପ୍ରଥମ ଲକ୍ଷ୍ୟ ହେଉଛି ଆମ ପିଲାମାନେ ଘରଠାରୁ ଦୂରରେ ରହୁଥିଲେ ବି ଆମ ଓଡ଼ିଆ ପରମ୍ପରା ଓ ସଂସ୍କୃତି ଶିଖିବା ଆବଶ୍ୟକ | ପିଲାମାନଙ୍କ ପାଇଁ ନୃତ୍ୟ, ବେଲୁନ୍ ଟୁଇଷ୍ଟିଙ୍ଗ୍ ଏବଂ ପେଣ୍ଟିଂ ଭଳି ସ୍ୱତନ୍ତ୍ର ଖେଳ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁଷପୁନି ଅବସରରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ପିଲାମାନେ ବହୁତ ଉପଭୋଗ କଲେ ଏବଂ ସେମାନେ ଆଗାମୀ ବର୍ଷର ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ଏହାରି ଭିତରେ ସବୁଠୁ ଆକର୍ଷଣୀୟ ଥିଲା  ଫେସ୍ ପେଣ୍ଟିଂ, ଯେଉଁଥିରେ ଅନେକ ଲୋକପ୍ରିୟ ଚରିତ୍ରର ଚିତ୍ର ଅଙ୍କା ଯାଇଥିଲା, ଏହା ପିଲାମାନଙ୍କୁ  ବେଶ୍ ଆକୃଷ୍ଟ କରିଥିଲା।

ପାରମ୍ପରିକ ଓଡିଆ ଖାଦ୍ୟ ଥିଲା ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ | ସ୍ଵତନ୍ତ୍ର ପାରମ୍ପରିକ ଖାଦ୍ୟ ସହ ଅନ୍ୟ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା | ପୂରା ଦିନର କାର୍ଯ୍ୟକ୍ରମ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସହିତ ଶେଷ ହୋଇଥିଲା |

ଖରିଫ ଧାନ ଫସଲର ପ୍ରଥମ ନୂଆ ଧାନ ଅମଳ ହେବା ପରେ ନୂଆଁଖାଇ ପାଳନ କରାଯାଉଥିବାବେଳେ ପୁଷପୁନି ଅମଳ ଶେଷ ପରେ ପାଳନ କରାଯାଏ | ଏହି ବାର୍ଷିକ ପର୍ବ ପୂର୍ଣ୍ଣିମା ଦିନ ତଥା ଓଡିଆ ପୌଷ ମାସର  ପୂର୍ଣ୍ଣିମାରେ ପାଳନ କରାଯାଏ | ମୂଳତଃ ଏହା ଏକ ବାର୍ଷିକ ଉତ୍ସବ ଯେଉଁଠାରେ କୃଷକ ପରିବାରମାନେ ବାର୍ଷିକ ଧାନ ଅମଳ ଉତ୍ସବ ପାଳନ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.