ବିହାରର ଏହି ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଦୃଢୋକ୍ତି- ୨୦୩୦ ସୁଦ୍ଧା ରାଜ୍ୟକୁ ୟୁରୋପୀୟ ଦେଶ ପରି ବିକଶିତ କରି ଦେବି

Published By : Prameya-News7 Bureau | March 08, 2020 IST

ପାଟନା ୦୮।୦୩-  ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଆରଜେଡି ନେତା ତେଜସ୍ଵୀ ଯାଦବ ମଧ୍ୟ ମହାମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅଛନ୍ତି। ମାତ୍ର ରବିବାର ସକାଳେ ବିହାରର ଜନତା ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ବିହାରର ଅନେକ ଖବରକାଗଜରେ ରବିବାର ଏକ ବିଜ୍ଞାପନ ଛପିଛି, ଯେଉଁଥିରେ ପୁଷ୍ପମ ପ୍ରିୟା  ଚୌଧୁରୀ ନାମକ ଜଣେ ମହିଳା ନିଜକୁ ୨୦୨୦ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଛନ୍ତି।

ଖବର କାଗଜରେ ଦେଲେ ବିଜ୍ଞାପନ

ବିଜ୍ଞାପନ ଜରିଆରେ ଏହି ମହିଳାଜଣକ କହିଛନ୍ତି ଯେ, ସେ ‘ପ୍ଲୁରଲ୍ସ’ ନାମକ ଏକ ରାଜନୈତିକ ଦଳ ଗଠନ କରିଛନ୍ତି, ଯାହାର ସଭାପତି ହେଉଛନ୍ତି ସେ ନିଜେ। ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁଷ୍ପମ ପ୍ରିୟା ଚୌଧୁରୀ ବିହାରର ଖବର କାଗଜରେ ବିଜ୍ଞାପନ ଦେଇ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଉପସ୍ଥାପନ କରିଛନ୍ତି। ପୁଷ୍ପମ ପ୍ରିୟା ଚୌଧୁରୀ ବିଜ୍ଞାପନରେ କହିଛନ୍ତି ଯେ, ସେ ବିଦେଶରେ ପଢିଛନ୍ତି ଏବଂ ସେ ବିହାର ଆସି ରାଜ୍ୟକୁ ବଦଳାଇବାକୁ ଚାହୁଁଛନ୍ତି।

{"id":235185,"width":752,"height":376,"sizeSlug":"large"}

ଏହି ବିଜ୍ଞାପନରେ ପୁଷ୍ପମ ପ୍ରିୟା ଚୌଧୁରୀ ଏକ ପଞ୍ଚ ଲାଇନ ମଧ୍ୟ ଦେଇଛନ୍ତି। ପଞ୍ଚ ଲାଇନ  ହେଉଛି ‘ଜନ ଗଣ ସବକା ଶାସନ’। ବିଜ୍ଞାପନରେ ସେ ଏହା ମଧ୍ୟ କହିଛନ୍ତି ଯେ, ବିହାରରେ ଏବେ ସମସ୍ତଙ୍କ ଶାସନ ହେବ। ବିହାର ଆହୁରି ଉନ୍ନତିଶୀଳ ହେବାକୁ ଯୋଗ୍ୟ ଏବଂ ଏଠାକାର ବିକାଶ ସମ୍ଭବ।

ଲଣ୍ଡନରେ ପଢିଛନ୍ତି ପାଠ

ଉଲ୍ଲେଖଯୋଗ୍ୟ, ପୁଷ୍ପମ ଡବଲ ଏମଏ କରିଛନ୍ତି। ଇଂଲଣ୍ଡର ଦ ଇନଷ୍ଟିଚ୍ୟୁୟଟ ଅଫ ଡେଭଲପମେଣ୍ଟ ଷ୍ଟଡିଜ ବିଶ୍ଵ ବିଦ୍ୟାଳୟରୁ ସେ ଏମଏ ଇନ ଡେଭଲପମେଣ୍ଟ ଷ୍ଟଡିଜ ଓ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ପବ୍ଲିକ ଆଡମିନିଷ୍ଟେସନରେ ଏମଏ କରିଛନ୍ତି।

ଚୌଧୁରୀ ବିଜ୍ଞାପନରେ କହିଛନ୍ତି, ତାଙ୍କର ପାର୍ଟି ସକରାତ୍ମକ ରାଜନୀତି ଓ ନୀତି ନିର୍ଦ୍ଧାରଣ ବିଚାରଧାରା ଉପରେ କେନ୍ଦ୍ରିତ। ସେ ବିଜ୍ଞାପନରେ ବିହାରର ଜନତାଙ୍କ ଲାଗି ଏକ ପତ୍ର ମଧ୍ୟ ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯଦି ସେ ବିହାରର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ୨୦୨୫ ସୁଦ୍ଧା ବିହାରକୁ ଦେଶର ସବୁଠୁ ବିକଶିତ ରାଜ୍ୟରେ ପରିଣତ କରିବେ ଏବଂ ୨୦୩୦ ସୁଦ୍ଧା ଏହାର ବିକାଶ ୟୁରୋପୀୟନ ଦେଶ  ପରି  ହେବ।

ସେ ବିହାରକୁ ବଦଳାଇବା ଲାଗି ବିହାର ଜନତାଙ୍କୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି। ସୂଚନା ମୁତାବକ ପୁଷ୍ପମା ଦରଭଙ୍ଗାର ନିବାସୀ ଓ ଜେଡିୟୁର ପୂର୍ବତନ ବିଧାନ ପରିଷଦର ସଦସ୍ୟ ବିନୋଦ ଚୌଧୁରୀଙ୍କ ଝିଅ। ସଂପ୍ରତି ସେ ଲଣ୍ଡନରେ ରହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.