ପ୍ରେମିକ ସହ ମିଶି ନିଜ ଝିଅକୁ ଛୁଞ୍ଚିରେ ଫୋଡ଼ି ଫୋଡ଼ି ମାରିଥିଲା ମା, ୪ ବର୍ଷ ପରେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ

Published By : Prameya-News7 Bureau | September 22, 2021 IST

ପୁରୁଲିଆ ୨୨/୦୯: ପଶ୍ଚିମବଙ୍ଗର ପୁରୁଲିଆରେ ୨୦୧୭ରେ ହୋଇଥିବା ହତ୍ୟାକଣ୍ଡ ମାମଲାରେ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ମଙ୍ଗଳବାର କୋର୍ଟ ଦୁଇ ଅଭିଯୁକ୍ତ ଅର୍ଥାତ  ମୃତ ଛୋଟ ଝିଅର ମା ଏବଂ ତାର ପ୍ରେମିକ ସନାତନ ଠାକୁରକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ପାଖାପାଖି ୪ ବର୍ଷ ପୂର୍ବେ ଜଣେ ସାଢ଼େ ତିନି ବର୍ଷର କୁନି ଝିଅକୁ ଛୁଞ୍ଚିରେ ଫୋଡ଼ି ଶାରିରୀକ ନିର୍ଯାତନା ଦିଆଯାଇଥିଲା। ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ କୁନି ଝିଅର ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଥିଲା ବେଳେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ନାବାଳିକାଙ୍କ ଶରୀରରେ ୭ଟି ଛୁଞ୍ଚି ପଶିଥିଲା।

ତେବେ ପ୍ରେମକାହାଣୀରେ ବାଧକ ସାଜିଥିବାରୁ ଛୋଟ ଝିଅକୁ ନିଜ ଜନ୍ମକଲା ମା ହିଁ ହତ୍ୟା କରିଥିଲା। ଝିଅଟି ଯୌନ ନିର୍ଯାତନାର ମଧ୍ୟ ଶିକାର ହୋଇଥିଲା। ଡାକ୍ତରଙ୍କ ଅନୁସାରେ, ଝିଅଟି ଦେହରୁ ୪ ଇଞ୍ଚ ଲମ୍ବର ୭ଟି ଛୁଞ୍ଚି ବାହାରିଥିଲା। ସନାତନ ଠାକୁର ଏବଂ ମହିଳା ଜଣକ ମିଶି ତନ୍ତ୍ର ସାଧନା ପାଇଁ ଝିଅର ଶରୀରରେ ଛୁଞ୍ଚି ଫୋଡ଼ିଥିବା ପୋଲିସ କହିଛି । ଏପରିକି ଝୋଟ ଝିଅର ଗୁପ୍ତାଙ୍ଗରେ ଛୁଞ୍ଚି ଫୁଟାଇଦେଇଥିଲେ ମା ଏବଂ ତାର ପ୍ରେମିକ। ଏହି ମାମଲାରେ ଶନିବାର କୁନି ଝିଅର ମା ଏବଂ ତାର ପ୍ରେମିକକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏହା ପରେ କୋର୍ଟ ଉଭୟ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା ବେଳେ ମାମଲାକୁ ‘କ୍ରୁର ଏବଂ ଅସାମନ୍ୟ ଅପରାଧ’ ବୋଲି କହିଛନ୍ତି।

ଏମିତି ଥିଲା ମାମଲା

୧୧ ଜୁଲାଇ ୨୦୧୭ରେ ମହିଳା ଜଣକ ନିଜର ସାଢ଼େ ୩ ବର୍ଷର ଝିଅକୁ ପୁରୁଲିଆର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲା।  ଝିଅକୁ ଜ୍ବର ହୋଇଛି ବୋଲି ସେ ଡାକ୍ତରଙ୍କୁ କହିଥିଲା। କିନ୍ତୁ ଚିକିତ୍ସକ ଝିଅର ଶରୀରରେ ଅନେକ କ୍ଷତ ଥିବା ଜାଣିବାକୁ ପାଇଥିଲେ। ଏପରିକି ତାର ଶରୀରରେ ରକ୍ତର ଦାଗ ଥିଲା। ତେବେ ଏହା ପଛର କାରଣ ଖୋଜିବା ପାଇଁ ଏକ ଡାକ୍ତରୀ ଟିମ୍‌ ଗଠନ ହୋଇଥିଲା। ଯାଞ୍ଚ ପରେ ଜଣାପଡ଼ିଲା ଝିଅର ଶରୀରରେ ୭ଟି ଛୁଞ୍ଚି ଥିଲା। ପରେ କୁନି ଝିଅଟିକୁ ଗୁରୁତର ଅବସ୍ଥାରେ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜୁଲାଇ ୨୧, ୨୦୧୭ରେ ଝିଅଟିର ମୃତ୍ୟୁ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.