ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା କରିଥିବା ପୂର୍ଣ୍ଣେଶ ମଦୀଙ୍କୁ ବିଜେପି ଦେଲା ବଡ଼ ପଦବୀ

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା କରିଥିବା ପୂର୍ଣ୍ଣେଷ ମୋଦୀଙ୍କୁ ବିଜେପି ଦେଲା ବଡ଼ ପଦବୀ। ଶୁକ୍ରବାର ପୂର୍ଣ୍ଣେଶଙ୍କୁ ଦାଦ୍ରା ନଗର ହାବେଳି ଓ ଦାମନର ପ୍ରଭାରୀ ନିଯୁକ୍ତ କରିଛି ଦଳ।

୫୮ ବର୍ଷୀୟ ପୂର୍ଣ୍ଣେଶ ମୋଦୀ ବିଜେପି ପାଇଁ ଦକ୍ଷିଣ ଗୁଜରାଟର ଜଣେ ବଡ଼ ଓବିସି ଚେହେରା। ସେ ୩ ଥର ବିଧାୟକ ହୋଇସାରିଥିବା ବେଳେ ପେଷାରେ ଜଣେ ଓକିଲ ମଧ୍ୟ। ୨୦୧୩ ଉପନିର୍ବାଚନରେ ସୁରତ ପଶ୍ଚିମ ଆସନରୁ ସେ ପ୍ରଥମ ଥର ବିଜେପି ଆସନରୁ ବିଜୟୀ ହୋଇଥିଲେ। ଏହାପରେ ୨୦୧୭ ଓ ୨୦୨୨ରେ ସେହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ନିର୍ବାଚନରେ ସେ ପ୍ରତିପକ୍ଷଙ୍କ ଠାରୁ ଏକ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।

୨୦୨୧ରେ ଭୂପେନ୍ଦ୍ର ପଟେଲଙ୍କ ପ୍ରଥମ ସରକାରରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିଲା। ତାଙ୍କୁ ପରିବହନ, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ତୀର୍ଥ କ୍ଷେତ୍ର ବିକାଶ ଦାୟିତ୍ୱ ମିଳିଥିଲା। ରାଜ୍ୟ ସରକାରରେ ହଠାତ୍ ତାଙ୍କର କ୍ୟାବିନେଟ୍‌ରେ ସ୍ଥାନ ମିଳିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବିବାଦୀୟ ବୟାନ୍‌ରେ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ। ଏହାପରେ ସାଂସଦ ହିସାବରେ ତାଙ୍କ ପଦ ରଦ୍ଦ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାହୁଲ ପୁଣିଥରେ ସଂସଦ ପଦ ଫେରି ପାଇଥିଲେ। ଏହି ଘଟଣାକୁ ନେଇ ପୂର୍ଣ୍ଣେଶ ମୋଦୀ ଦେଶବ୍ୟାପୀ ଲୋକ ଲୋଚନକୁ ଆସିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.