୨୦୨୨ ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ; ୨୦୨୩ରେ ଶ୍ରୀମନ୍ଦିରରେ ଜମିବ ୨ଗୁଣା ଭକ୍ତଙ୍କ ଭିଡ଼

Published By : Prameya-News7 Bureau | December 31, 2022 IST

ପୁରୀ ୩୧/୧୨: ବିଦାୟ ବର୍ଷ ୨୦୨୨ର ଶେଷ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଲକ୍ଷାଧିକ ଭକ୍ତ। ନୂଆବର୍ଷରେ ନୂଆ ଢ଼ଙ୍ଗରେ ଜୀବନର କାର୍ଯ୍ୟାଧାରା ଆରମ୍ଭ କରିବାକୁ ମହାପ୍ରଭୁଙ୍କ ପାଖରେ କରିଛନ୍ତି ପ୍ରାର୍ଥନା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡରେ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ରବିବାର ରାତି ଗୋଟାଏରୁ ଇଂରାଜୀ ନୂତନ ବର୍ଷ ଅବସରରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ଜଣାଇଛନ୍ତି। 

ଶନିବାର ୨୦୨୨ର ବିଦାୟ ଦିନରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।୨୦୨୨ର ଶେଷ ଦିନରେ ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଠିଆ ହୋଇ କଷ୍ଟକୁ ଖାତିରି ନକରି ଅତି ଆନନ୍ଦରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେହିପରି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ସମସ୍ତ ସୁବ୍ୟବସ୍ଥାକୁ ଭକ୍ତମାନେ ପ୍ରଶଂସା କରିଛନ୍ତି। ଇଂରାଜୀ ନୂତନ ବର୍ଷ ଅବସରରେ ଆଜି ରାତି ଗୋଟାଏରୁ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଆସନ୍ତାକାଲି ବା ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରିଛନ୍ତି। ଗତ ୨ ବର୍ଷ ହେବ କୋଭିଡ କଟକଣାପାଇଁ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ। ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ପ୍ରତିବର୍ଷ ଯେତିକି ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି ତାହାର ଦୁଇଗୁଣା ଭିଡ ଜମିବ ବୋଲି ପ୍ରଶାସନ ଅନୁମାନ କରିଛି।

ଶ୍ରୀମନ୍ଦିର ପ୍ରବେଶ ପାଇଁ ବଜାର ଛକରୁ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି। ସେପଟେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ଉଠା ଦୋକାନକୁ ବନ୍ଦ କରାଯାଇଛି। ଶନିବାର ଓ ଆସନ୍ତାକାଲି ଏହି ୨ଦିନ ବଡ଼ଦାଣ୍ଡରେ ଉଠା ଦୋକାନ ବନ୍ଦ ହେବ। ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସହିତ ବଡ଼ଦାଣ୍ଡ, ସମୁଦ୍ର କୂଳ ଓ ସହରର ବିଭିନ୍ନ ସ୍ଥାନରେ ଦକ୍ଷ ପୋଲିସ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ସହରର ଅଧିକାଂଶ ହୋଟେଲ ଗୁଡ଼ିକରେ ଜିରୋ ନାଇଟ୍ ସେଲିବ୍ରେସନ ଏବଂ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୂଆବର୍ଷରେ ଏକ ଭିନ୍ନ ଅନ୍ଦାଜରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇକୁ ସମସ୍ତ ବ୍ୟବସ୍ଥା ହୋଇଥିବା ହୋଟେଲମାଲିକମାନେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.