ଭୁବନେଶ୍ବର୨୭/୨: ମାତ୍ର କିଛି ଦିନର ବ୍ୟବଧାନରେ ଓଡ଼ିଶାରେ ପୁଣି ଏକ କାଡାଭେରିକ୍ ପ୍ରତିରୋପଣ ହୋଇଛି । ଭୁବନେଶ୍ବର ପୋଖରିପୁଟ୍ର ଜଣ ୫୬ବର୍ଷିୟା ମହିଳା ସୁଚିତ୍ରା ଦାସଙ୍କ କିଡନୀକୁ ଦୁଇଜଣଙ୍କ ଠାରେ ପ୍ରତିରୋପଣ କରାଯାଇଛି । ଯଦି ଉଭୟ ପ୍ରତିରୋପଣ ସଫଳ ହେବ ତାହେଲେ ସୁଚିତ୍ରାଙ୍କ ପାଇଁ ଦୁଇ ଜଣ ନୂଆ ଜୀବନ ପାଇବେ । ତେବେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ତାଙ୍କ ପରିବାର ଲୋକ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୋଟୋକୁ ଅସହଯୋଗ କାରଣରୁ ସୁଚିତ୍ରାଙ୍କ ହାର୍ଟ ଏବଂ ଲିଭର ଅନ୍ୟ ଦୁଇ ଜଣ ରୋଗୀଙ୍କ ଠାରେ ପ୍ରତିରୋପଣ ଯୋଜନା ବିଫଳ ହୋଇଥିବା କୁହାଯାଉଛି । ସେପଟେ ଆଜି ପୁରୀ ସ୍ବର୍ଗଦ୍ବାରରେ ଅଙ୍ଗଦାନ କରିଥିବା ସୁଚିତ୍ରାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ପୁରୀ ସ୍ବର୍ଗଦ୍ବାରରେ ଜଳିଛି ଜୁଇ । ହେଲେ ମରି ବି ଅମର ହୋଇଯାଇଛନ୍ତି ସୁଚିତ୍ରା । କାରଣ ସୁଚିତ୍ରାଙ୍କ ଅଙ୍ଗଦାନ ଅନ୍ୟ ଦୁଇ ଜଣଙ୍କୁ ଦେଇଛି ନୂଆ ଜୀବନ । ଏଣିକି ସୁଚିତ୍ରାଙ୍କ କଡନୀରେ ସେମାନେ ବଞ୍ଚିବେ । ମାତ୍ର କିଛି ଦିନର ବ୍ୟବଧାନରେ ଓଡ଼ିଶାରେ କରାଯାଇଥିବା ଆଉ ଏକ କାଡାଭେରିକ୍ ପ୍ରତିରୋପଣ ଦ୍ବାରା ଏସବୁ ସମ୍ଭବ ହୋଇପାରିଛି । ଗଲା ୨୩ରେ ଅସୁସ୍ଥତା କାରଣରୁ ଗୁରୁତର ସୁଚିତ୍ରା ଦାସଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ହସ୍ପିଟାଲ ତରଫରୁ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ସ୍ବାମୀ ଗୋପାଳ ଦାଶ ସୁଚିତ୍ରାଙ୍କ ଅଙ୍ଗଦାନ କରି ଆଉ କାହାକୁ ନୂଆ ଜୀବନ ଦେବାକୁ ମହତ୍ ନିଷ୍ପତି ନେଇଥିଲେ । ପରିବାର ଲୋକଙ୍କ ସମ୍ମତି ଏବଂ ଷ୍ଟେଟ୍ ଅରଗାନ୍ ଆଣ୍ଡ ଟ୍ରାନ୍ସ ପ୍ଲାଣ୍ଟ ଅରଗାନାଇଜେସନ୍, ସୋଟୋ ଗାଇଡ୍ଲାଇନ୍ ଅନୁସାରେ ସୁଚିତ୍ରାଙ୍କ ଶରୀରରୁ କିଡନୀ ଦୁଇଟିକୁ କଢ଼ାଯାଇ ଅନ୍ୟ ଦୁଇ ଜଣ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା ।
ଯଦି ଉଭୟ ପ୍ରତିରୋପଣ ସଫଳ ହେବ ତାହେଲେ ସୁଚିତ୍ରାଙ୍କ ପାଇଁ ଦୁଇ ଜଣ ନୂଆ ଜୀବନ ପାଇବେ । ହେଲେ ୟାରି ଭିତରେ ଆଉ ଏକ ସାଂଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅସହଯୋଗ କାରଣରୁ ସୁଚିତ୍ରାଙ୍କ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗ କାମରେ ନଲାଗି ବେକାର ହୋଇଯାଇଛି । କିଡନୀ ସହ ସୁଚିତ୍ରାଙ୍କ ହାର୍ଟ ଏବଂ ଲିଭରକୁ କୋଲକାତାର ଦୁଇଜଣ ରୋଗୀଙ୍କ ଠାରେ ପ୍ରତିରୋପଣ କରିବାକୁ ଯୋଜନା ଥିଲା । କିନ୍ତୁ ଏନେଇ ଆପୋଲୋ କର୍ତ୍ତୃପକ୍ଷ ସୋଟୋକୁ ସହଯୋଗ ନକରିବାରୁ ଯୋଜନା ଫସର ଫାଟିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରିଜିଓନାଲ ଅରଗାନ୍ ଆଣ୍ଡ ଟିସୁ ଟ୍ରାନ୍ସ୍ପ୍ଲାଣ୍ଟ ଅରଗାନାଇଜେସନ, ରୋଟୋ । ହେଲେ ଏ ସମ୍ପର୍କରେ ପଚାରିବାରୁ ବୁଲେଇ ବଙ୍କେଇ ପ୍ରତିକ୍ରିୟା ଦେଇଥିଲେ ଆପୋଲୋ ଡାକ୍ତର । ଯଦି ସୁଚିତ୍ରାଙ୍କ ହାର୍ଟ ଆଉ ଲିଭର ଦ୍ବାରା ଆଉ ଦୁଇଜଣଙ୍କୁ ନୂଆ ଜୀବନ ମିଳିପାରିଥାନ୍ତା । ଏମିତି ହୋଇଥିଲେ ହୁଏତ ସୁଚିତ୍ରାଙ୍କ ଆତ୍ମାକୁ ଆଉଟିକେ ଅଧିକ ଶାନ୍ତି ମିଳିଥାନ୍ତା ବୋଲି ଅନୁଭବ କରୁଥିଲେ ତାଙ୍କ ପରିବାର ।
ଜଣଙ୍କ ଶରୀରରୁ ଅଙ୍ଗ କାଢ଼ି ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରିବା ପୂର୍ବରୁ ସୋଟୋ ବା ଷ୍ଟେଟ୍ ଅରଗାନ୍ ଆଣ୍ଡ ଟିସୁ ଟ୍ରାନ୍ସ ପ୍ଲାଣ୍ଟ ଅରଗାନାଇଜେସନ୍ର ଗାଇଡଲାଇନ୍କୁ ଅନୁସରଣ କରିବାକୁ ପଡ଼େ । ହେଲେ ଏଥିପାଇଁ ସୋଟୋ ନ୍ୟାସନାଲ ଅରଗାନ୍ ଆଣ୍ଡ ଟିସୁ ଟ୍ରାନ୍ସ ପ୍ଲାଣ୍ଟ ଅରଗାନାଇଜେସନ୍ ବା ନୋଟୋ ଏବଂ ଏହା ଅଧୀନରେ ଥିବା ରିଜିଓନାଲ ଅରଗାନ୍ ଆଣ୍ଡ ଟିସୁ ଟ୍ରାନ୍ସ୍ପ୍ଲାଣ୍ଟ ଅରଗାନାଇଜେସନ ବା ରୋଟୋକୁ ଅବଗତ କରାଯିବା ନିୟମ ରହିଛି । ହେଲେ ଆପୋଲୋ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ପାଇଁ ରୋଟୋ କର୍ତ୍ତୃପକ୍ଷ ସୋଟୋ ଉପରେ ଭିଷଣ ଅସନ୍ତୋଷ ଜାହିର କରିଥିବା ବେଳେ ଅସହଯୋଗ ପାଇଁ ଆପୋଲୋ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ହୋଇପାରେ ବୋଲି ଜଣାପଡ଼ିଛି ।