ପୁରୀ ସେବାୟତ ପରିବାରର ସ୍ୱତନ୍ତ୍ର ପରମ୍ପରା 'ନେତପିଲା' : ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ କୁମାରୀ କନ୍ୟା କଲେ ହରପାର୍ବତୀ ପୂଜା

Published By : Prameya-News7 Bureau | October 13, 2018 IST

ପୁରୀ ୧୩/୧୦ : ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ। ଶାରଦୀୟ ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି। ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୁଳର କିଶୋରୀ କନ୍ୟାମାନେ ମାର୍କଣ୍ତ ପୁଷ୍କରିଣୀ ଠାରେ ଏହି ପୂଜାର୍ଚ୍ଚନା କରିଥାନ୍ତି। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟା ମାନେ। ଏହି ୨୧ ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲା ମାନେ। ପାରମ୍ପରିକ ବେଶରେ ମାର୍କଣ୍ତ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୁଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି ଏମାନେ। ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି। ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। କନ୍ୟା ମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ମାନଙ୍କ ଘରକୁ ବୁଲି ଯାଇଥାନ୍ତି। ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥାଏ। କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ନେତପିଲା ମାନେ ଆଗେ ବହୁ ସଂଖ୍ୟାରେ ସହରସାରା ଦେଖିବାକୁ ମିଳୁଥିବା ବେଳେ ଗତ କିଛି ବର୍ଷ ହେବ ଧିରେ ଧିରେ ଏହା ଫିକା ପଡ଼ିବାରେ ଲାଗିଛି ଯାହାକି ଏବେ ଏହି ପାରମ୍ପରିକ ସଂସ୍କୃତି ବିଲୁପ୍ତ ହେବାକୁ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.