ଜାମ୍ମୁକାଶ୍ମୀର ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ନେଇ ଏମିତି ଟିପ୍ପଣୀ ଦେଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ
5/08/2019 at 1:13 PM

ପୁରୀ ୫/୮: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜାମ୍ମୁକାଶ୍ମୀରର ପୁର୍ନଗଠନ ନେଇ ଆଜି କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି ଯେ ଏଭଳି ଏକ ନିଷ୍ପତ୍ତିକୁ ଦୀର୍ଘ ଦିନରୁ ସେ ଅପେକ୍ଷା କରି ରହିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଲା। ଭାରତର ଅସ୍ତିତ୍ବକୁ କ୍ଷତବିକ୍ଷତ କରିବା ପାଇଁ ବ୍ରିଟିଶମାନଙ୍କର କୁଟନୈତିକ ଗୋଟି ଚାଳନାର ଆଜି ପରାଭବ ଘଟିଲା ବୋଲି ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ କୂଟନୈତିକ କାରଣରୁ ଇଂରେଜମାନେ ପ୍ରଥମେ ଆଫଗାନିସ୍ତାନକୁ ଭାରତରୁ ଅଲଗା କଲେ ଏବଂ ପରବର୍ତ୍ତୀ ସମୟରେ ବର୍ମା ଓ ଶ୍ରୀଲଙ୍କାକୁ ମଧ୍ୟ ଭାରତରୁ ଅଲଗା କରିଦେଲେ।
ଶେଷରେ ଧର୍ମଭିତ୍ତିରେ ଦେଶକୁ ବିଭାଜନ କରି ଭାରତ ଓ ପାକିସ୍ତାନ ଦୁଇଟି ରାଷ୍ଟ୍ରରେ ପରିଣତ କଲେ। ଭାରତ ସ୍ବାଧୀନତା ହାସଲ କରିବା ପରେ ହିନ୍ଦୁମାନଙ୍କ ପତିଆରା ବୃଦ୍ଧି ପାଇବ ବୋଲି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମନୋଭାବକୁ ଇଂରେଜମାନେ ପଢ଼ିପାରିଥିଲେ। ସେଥିପାଇଁ ହିନ୍ଦୁ ମୁସଲିମ୍ ଭେଦଭାବ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରାଇଥିଲେ। ତେବେ ଆଜି ସରକାରଙ୍କ ଏଭଳି ଏକ ନିଷ୍ପତ୍ତି ଦେଶର ଅଖଣ୍ଡତା ଓ ଅସ୍ତିତ୍ବକୁ ଆହୁରି ମଜବୁତ କରିବ। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିକ୍ରିୟା ରଖିବାବେଳେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋହତ୍ୟା , ରାମ ଜନ୍ମଭୂମି,ମଥୁରା ଓ ସୋମନାଥ ମନ୍ଦିର ସମ୍ପର୍କରେ ମଧ୍ୟ ଟିପ୍ପଣୀ ରଖିଥିଲେ। ସେ କହିଥିଲେ ଯେ ଦେଶ ସ୍ବାଧୀନତା ପାଇବା ପରେ ତାତ୍କାଳିକ ଆବଶ୍ୟକତାକୁ ଆଖି ଆଗରେ ରଖି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଧାରା ୩୭୦ ଅସ୍ଥାୟୀ ଭାବେ ଲାଗୁ କରି ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିଥିଲେ।
ତେବେ ପରବର୍ତ୍ତୀ ସମୟରେ ନିଜ ନିଜର ରାଜନୈତିକ ଫାଇଦା ପାଇଁ ରାଜନୈତିକ ଦଳମାନେ ଧାରା ୩୭୦ର ଉଚ୍ଛେଦ ପାଇଁ କୈାଣସି ପଦକ୍ଷେପ ନେଇନଥିଲେ। ତେବେ ବିଜେପି ସରକାର ଏହି ନିଷ୍ପତ୍ତି ନେଇ ଦେଶର ମଙ୍ଗଳ କରିଛନ୍ତି। ଦେଶର ମଙ୍ଗଳ ପାଇଁ ଏହି ନିଷ୍ପତ୍ତିକୁ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ସମସ୍ତେ ସମର୍ଥନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।