ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା ମହାଲକ୍ଷ୍ମୀ

Published By : Prameya-News7 Bureau | July 05, 2022 IST

ପୁରୀ ୦୫।୦୭ : ଆଜି ପବିତ୍ର ହେରାପଞ୍ଚମୀ । ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବେ । ଆସନ୍ତାକାଲି ୩ ରଥକୁ ଦକ୍ଷିଣ ମୋଡ଼ କରାଯିବ।

ବିଧି ମୁତାବକ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସଂଧ୍ୟା ଆରତୀ ପରେ ବିମାନରେ ପଟୁଆର ସହ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା, ଚାଉଳ ବନ୍ଦାପନା କରିବେ ।

ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ସଂଧ୍ୟା ଧୂପ ଚାଲିଥିବା ବେଳେ ସେହି ସମୟରେ ଟେରା ପଡିବ । ଏହା ପରେ ରାଗ ଜର୍ଜରିତ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ନନ୍ଦିଘୋଷ ରଥ ଭାଙ୍ଗିବା ପରମ୍ପରା ରହିଛି । ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ବଡ଼ଦାଣ୍ଡ ବାଟରେ ନଫେରି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ମା ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦ୍ଦେଶରେ ବାହୁଡ଼ା ଯାତ୍ରା ପାଇଁ ବୁଧବାର ତିନିରଥର ଦକ୍ଷିଣମୋଡ଼ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.