ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ, ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ହେବେ ବିଭୂଷିତ
25/01/2023 at 7:47 AM

ପୁରୀ ୨୫।୦୧ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କିମ୍ୱଦନ୍ତି ଅନୁଯାୟୀ, ସନ୍ଥ ମନୋହର ଦାସଙ୍କ ପାଇଁ ପ୍ରଭୁ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ। ତେଣୁ ବଡ଼ଛତା ମଠ ପକ୍ଷରୁ ଏହି ବେଶ କରାଯାଇଥାଏ। ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାସ ଶୀତ ଦିନରେ ପୁଷ୍କରଣୀରୁ ପଦ୍ମ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ସବୁ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ପଣ୍ତା ମାନେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ କରିବା ପରେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ବଡ଼ଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଥିବା ପରମ୍ପରା ଚାଲି ଆସୁଛି।
ଶ୍ରୀମନ୍ଦିର ମୁଖ୍ୟ ପାରମ୍ପରିକ ବେଶ କାରିଗରଙ୍କ ସହ ସହଯୋଗୀ କାରିଗର ମାନେ ହବିଷ୍ୟାନ ଗ୍ରହଣ କରି ଅତି ନିଷ୍ଠାର ସହିତ ପଣ୍ଡୁ ପୂର୍ଣ୍ଣିମା ଠାରୁ ଏହି ବେଶ ନିର୍ମାଣ କରିଥାନ୍ତି। ସୋଲ, ଜରି, କଇଁଥଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଥାଏ। ତେବେ ବେଶ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଏହା ଶ୍ରୀମନ୍ଦିରକୁ ଅଣାଯିବ।