ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି ହେବ, ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ

Published By : Prameya-News7 Bureau | December 03, 2022 IST

ପୁରୀ ୦୩।୧୨ : ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି କରାଯିବ । ଏହି ଅତିରିକ୍ତ ସେଟ୍‌ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ମା’ ସୁଭଦ୍ରାଙ୍କ ସୁନାବେଶ ଆଭୂଷଣ ଲାଗି ବେଳେ ଏହି ଆଭୂଷଣର ମାପ ନିଆଯାଇଛି । ଜଉ ସହ ଏହି ଆଭୂଷଣରେ କେତେ ସୁନା ରହିଛି ତାହାର ମଧ୍ୟ ଆକଳନ କରାଯାଇଛି । ଏହି ଆଧାରରେ ମହାପ୍ରଭୁଙ୍କ ସୁନାବେଶର ଆଭୂଷଣ ଗୁଡ଼ିକର ଆଉ ଏକ ସେଟ୍‌ ଜରୁରି ସେବା ନିମନ୍ତେ ତିଆରି କରାଯିବ ।

ଆଉ ଏକ ସୂଚନା ମୁତାବକ, ମହାପ୍ରଭୁଙ୍କ ଶୟନ ବେଦି ବା ରତ୍ନପଲଙ୍କର ଆଉ ଏକ ସେଟ୍‌ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିିଛି। ଏହି ପଲଙ୍କର ଡିଜାଇନ ପ୍ରସ୍ତୁତ ହୋଇ ସାରିଥିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଶ୍ରୀଜିଉଙ୍କ ଏହି ସବୁ ଅଳଙ୍କାରର ଡିଜାଇନ ପ୍ରସ୍ତୁତ କରାଯାଉଛି । ଶ୍ରୀମନ୍ଦିର ବଣିଆ ମା’ ସୁଭଦ୍ରାଙ୍କ ସୁନାବେଶ ଅଳଙ୍କାର ଆକଳନ କରିଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ରୁପା ଦ୍ୱାର ନିର୍ମାଣ କମିଟି କର୍ମକର୍ତ୍ତା ମାଧବ ମହାପାତ୍ର ସୂଚନା ଦେଇଛନ୍ତି । ରଥ ଉପରେ ମହାପ୍ରଭୁଙ୍କ ସୁନାବେଶରେ ମୋଟ ୪୫ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ ।

ରଥ ଉପର ସୁନାବେଶରେ ଶ୍ରୀବଳଭଦ୍ରଙ୍କ ବାଡ଼ରେ ୧୮ ପ୍ରକାର, ମା’ ସୁଭଦ୍ରାଙ୍କ ବାଡ଼ରେ ୮ ପ୍ରକାର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ୧୯ ପ୍ରକାର ଆଭୂଷଣ ଲାଗି ହୋଇଥାଏ । କିନ୍ତୁ କିଛି ଦୁର୍ଲ୍ଲଭ ତଥା ଅମୂଲ୍ୟ ହୀରା, ମଣି, ମାଣିକ୍ୟ ତଥା ଅନ୍ୟ ରତ୍ନଖଚିତ ଅଳଙ୍କାରକୁ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁରକ୍ଷା ଦୃଷ୍ଟିରୁ ଲାଗି ହୋଇ ନଥାଏ । ତେଣୁ ରତ୍ନବେଦିରେ ମହାପ୍ରଭୁଙ୍କୁ ଏହାଠାରୁ ଅଧିକ ମୂଲ୍ୟବାନ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ଏହା ବ୍ୟତୀତ ପଦ୍ମବେଶ, ରଘୁନାଥ ବେଶ, କୃଷ୍ଣ ବଳରାମ ବେଶ, ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ ବେଶ, ନାଗାର୍ଜୁନ ବେଶ, ବାମନ ବେଶ, ଚାଚେରି ବେଶ ଆଦି ବିରଳ ବେଶରେ ବି ସ୍ୱତନ୍ତ୍ର ଅଳଙ୍କାରମାନ ଲାଗି ହୋଇଥାଏ ।

ଏହି ଅଳଙ୍କାରଗୁଡ଼ିକର ଅତିରିକ୍ତ ସେଟ ତିଆରି ହେଲେ ବିଭିନ୍ନ କାରଣରୁ ଭାଙ୍ଗି ଯାଇଥିବା କିମ୍ବା ନଷ୍ଟ ହେଉଥିବା ସୁବର୍ଣ୍ଣ ଅଳଙ୍କାର ସ୍ଥାନରେ ଅତିରିକ୍ତ ସେଟ୍‌ର ଅଳଙ୍କାରକୁ ବ୍ୟବହାର କରାଯାଇ ପାରିବ ବୋଲି କମିଟି ସଦସ୍ୟ ମତ ଦେଇଛନ୍ତି । ସୂଚନା ମିଳିଛି, ଏହି ଅଳଙ୍କାରଗୁଡ଼ିକର ଡିଜାଇନ ଏବଂ ଡ୍ରଇଁ ପ୍ରସ୍ତୁତ କରାଯାଇଛି । ପୁରୁଣା ଅଳଙ୍କାର ଠାରୁ ଅଧିକ ସୁନା ଓ ଜଉ ଦେଇ ମଜବୁତ ଆଭୂଷଣ ଗଢ଼ିିବାକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । ଶୀଘ୍ର ଏହି ସବୁ ଅଳଙ୍କାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ।

ଏହିସବୁ ଅଳଙ୍କାରରେ ପ୍ରଚୁର ପରିମାଣର ସୁନା ଲାଗିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ଦାତାଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । ଏହି କାମରେ ରାଜ୍ୟ ସରକାରଙ୍କ ସହାୟତା ନେବାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ବିଚାର କରୁଛି । ସର୍ବୋପରି ମହାପ୍ରଭୁଙ୍କ ପହୁଡ଼ ପୂର୍ବରୁ ବିଜେ ହେଉଥିବା ରତ୍ନପଲଙ୍କର ଏକ ଅତିରିକ୍ତ ସେଟ୍‌ ନିର୍ମାଣ ନିମନ୍ତେ ଡିଜାଇନ ସହ ରୁପା କେତେ ଲାଗିବ ତାହାର ଆକଳନ ମଧ୍ୟ ହୋଇଥିବାର ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.