ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Published By : Prameya-News7 Bureau | September 07, 2022 IST

ପୁରୀ ୦୭।୦୯ : ବୁଧବାର ଶ୍ରୀମନ୍ଦିରରେ ସୁନିଆଁ । ସନ ୧୪୩୦ ସାଲ ଆରମ୍ଭ । ଏଥିସହ ଅନୁଷ୍ଠିତ ହେବ ବାମନ ଜନ୍ମୋତ୍ସବ । ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢ଼ିବ । ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଢ଼ାଉ ଲାଗି କରାଯିବ । ମଧ୍ୟାହ୍ନ ଧୂପ ସରିଲେ ବାମନ ଜନ୍ମନୀତି ଆରମ୍ଭ ହେବ ।

ସନ୍ଧ୍ୟା ଧୂପ ପରେ ଇନ୍ଦ୍ରଧ୍ୱଜା ନୀତି ସମ୍ପନ୍ନ ହେବ । ସ୍ନାନ ବେଦି ପାଖ ଚାହାଣି ମଣ୍ଡପ ଠାରେ ବଡ଼ଛତାମଠ କୋଣରେ କୋଠସୁଆଁସିଆ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିବେ । ସେଠାରେ ପଞ୍ଚ ଉପଚାରେ ଭୋଗ କରାଯିବ । ଏହାପରେ ବନ୍ଦାପନା ହେବ । ଶ୍ରୀମନ୍ଦିର ପରମ୍ପରାନୁସାରେ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସପ୍ତମେଘ ବନ୍ଧା ହୋଇ ରହିବାର ବିଧି ପାଳନ ହେବ । ଏହି ନୀତି ଲାଗି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.