ପଞ୍ଚୁକର ଦ୍ୱାଦଶୀ ତିଥି, ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | November 05, 2022 IST

ପୁରୀ ୦୫/୧୧: କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ପଞ୍ଚୁକର ଦ୍ୱାଦଶୀ ତିଥିରେ ଆଜି ଭକ୍ତ ମାନେ ମହାପ୍ରଭୁଙ୍କୁ ବାଙ୍କଚୁଡ଼ା ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ପଞ୍ଚୁକରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଲାଗି ରହିଛି ଭକ୍ତଙ୍କ ଗହଳି ।

ମହାପ୍ରଭୁଙ୍କର ଆଜିର ଏହି ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହୋଇଥିବା ବେଳେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ।

ତେବେ ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ସହ ଭକ୍ତଙ୍କ ପ୍ରବଳ ଭିଡ ଜମିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.