ପୋଲିସର ପ୍ରସ୍ତୁତି ଅଭାବରୁ ପୁରୀରେ ଘଟିଲା ଅଭାବନୀୟ ଘଟଣା : ମହେଶ୍ବର ମହାନ୍ତି
4/10/2018 at 5:04 PM

ଭୁବନେଶ୍ବର ୪|୧୦: ପୁରୀରେ ହିଂସାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ଦୃଢ ନିନ୍ଦା କରିବା ସହ ପୋଲିସର ପ୍ରସ୍ତୁତି ଅଭାବରୁ ଏଭଳି ଲଙ୍କାକାଣ୍ଡ ଘଟିଲା ବୋଲି ମହେଶ୍ବର କହିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିବା ସହ ତାଙ୍କ ଘର ଉପରକୁ ବିଜେପି କର୍ମୀମାନେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନକୁ କଂଗ୍ରେସ ଏବଂ ବିଜେପି ସମର୍ଥନ କରିଥିଲା । କିନ୍ତୁ ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ, ଏସପିଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବାସଭବନ ବାହାରେ ମଧ୍ୟ ଭଙ୍ଗାରୁଜା କରିଥିଲେ ।
ଗତକାଲିର ଘଟଣା ପରେ ଆଜି ପୋଲିସ ମହାନିର୍ଦ୍ଦେଶକ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିସିଟିଭି ଫୁଟେଜ୍ ଯାଂଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ସେପଟେ ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ଆମିକସ କ୍ୟୁରୀ ମଧ୍ୟ ଘଟଣା ସମ୍ପର୍କରେ ଟିକିନିଖି ରିପୋର୍ଟ ମାଗିଛନ୍ତି।