ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ, ଖୁବଶୀଘ୍ର ଅନ୍ୟ ଅତିଥିମାନଙ୍କୁ କରାଯିବ ନିମନ୍ତ୍ରଣ

Published By : Prameya-News7 Bureau | December 21, 2023 IST

ପୁରୀ ୨୧।୧୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରାଯିବ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁଙ୍କୁ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭଳି ଏକ ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ପରମ୍ପରା ଅନୁସାରେ ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପତ୍ର ଅର୍ପଣ କରାଯାଇଛି । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ଥିବାରୁ ଏନେଇ ଏହି କାର୍ଯ୍ୟ ଗୁରୁବାର ଶ୍ରୀମନ୍ଦିରରେ ସମ୍ପନ୍ନ କରାଯାଇଛି । ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବା ପରେ ପ୍ରଭୁ ନୃସିଂହ, ମା’ ବିମଳା, ମଙ୍ଗଳାଙ୍କ ସହ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚୁପାଣ୍ଡବଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଖୁବଶୀଘ୍ର ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି ଭାରତର ବିଭିନ୍ନ ସ୍ଥାନକୁ ଯାଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ବରିଷ୍ଠ ସେବାୟତ ଓ ଗବେଷକ କହିଛନ୍ତି ।

ତେବେ ଆସନ୍ତା ୨୪ ତାରିଖରେ ଏକ ସେବାୟତ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ଯିବେ । ମୁଖ୍ୟମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯିବା ପରେ ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀମାନେ ଭାରତର ବିଶିଷ୍ଟ ବ୍ୟକ୍ତି ଏବଂ ଧର୍ମପୀଠକୁ ଯିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପତ୍ର ଦିଆଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦାନ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିବେ । ଅତିଥିମାନେ କିଭଳି ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିବେ ଏନେଇ ସମସ୍ତ ବ୍ୟବସ୍ଥା କରାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । 

ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିରାଟ ପଟୁଆର କାର୍ଯ୍ୟାଳୟ ଠାରୁ ବାହାରିଥିଲା । ସମସ୍ତ ସେବାୟତ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଶୁଭ ବେଳାରେ ନିମନ୍ତ୍ରଣ କରିଥିଲେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ଏବଂ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ଉତ୍ସାହିତ ହୋଇପଡିଛନ୍ତି ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ । 

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.