ପୁରୀକୁ ପ୍ରତିଦିନ ଆସୁଛି ଶହ ଶହ ବସ୍ : ଧାର୍ଯ୍ୟ ଦର ଠାରୁ ଅଧିକ ଭଡ଼ା ନେଉଛନ୍ତି ମାଲିକ, ପ୍ରଶାସନ ଜାଣି ବି ଚୁପ୍
31/01/2023 at 2:43 PM

ପୁରୀ ୩୧।୦୧ : ଭାରତର ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ଶ୍ରୀଜଗନ୍ନାଥ ଧାମ । ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ପୁରୀ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ ପୁରୀ ବସଷ୍ଟାଣ୍ଡରେ ଚାଲିଥିବା ଅବ୍ୟବସ୍ଥାକୁ ସୁଧାରି ପାରିଲାନାହିଁ ପ୍ରଶାସନ । ବସ୍ ଗୁଡ଼ିକରେ ଦର ତାଲିକା ଲାଗି ନଥିବାରୁ ଧାର୍ଯ୍ୟ ଦର ଠାରୁ ଅଧିକ ଭଡ଼ା ନେଉଛନ୍ତି ବସ୍ ମାଲିକ। ଏହାର ପ୍ରତିବାଦ କଲେ ଭକ୍ତ ଓ ପର୍ଯ୍ୟଟକ ଅନେକ ବସ୍ କର୍ମଚାରୀଙ୍କ ଦୁର୍ବ୍ୟବହାରର ଶିକାର ହେଉଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ଯାତ୍ରୀ ମାନଙ୍କ ଏଭଳି ଅବ୍ୟବସ୍ଥାକୁ ନେଇ ଭକ୍ତ ଓ ଯାତ୍ରୀ ପ୍ରଶାସନକୁ ସିଧାସଳଖ ଦୋଷୀ କରିଛନ୍ତି। ସ୍କ୍ୱାର୍ଡ ମାଧ୍ୟମରେ ବିଭିନ୍ନ ବସ୍ ଗୁଡ଼ିକୁ ନିୟମିତ ଯାଞ୍ଚ କରାଯାଇ ଯାତ୍ରୀଙ୍କୁ ଶୋଷଣ କରୁଥିବା ବସ୍ ଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଇତି ମଧ୍ୟରେ ଏବେ ପୁରୀ ବସଷ୍ଟାଣ୍ଡର ଅନେକ ଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ହୋଇଛି। ଯାତ୍ରୀ ସୂଚନା କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ଗାର, ଦର ତାଲିକା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଛି। ବିଭିନ୍ନ ରୁଟକୁ ଯାଉଥିବା ବସ୍ ପାଇଁ ସ୍ବତନ୍ତ୍ର ଟ୍ରାକ୍ ବସଷ୍ଟାଣ୍ଡରେ କରାଯାଇଛି। ତେବେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡା ନେଉଥିବା ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ।

ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାକୁ ଗୁରୁତର ଭାବେ ନେଇଛନ୍ତି। ଖୁବଶୀଘ୍ର ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ। ତେବେ ଜିଲ୍ଲାପାଳଙ୍କ କେତେ ଶିଘ୍ର ଏହା କାର୍ଯ୍ୟକାରୀ ହେଉଛି ତାକୁ ଏବେ ସମସ୍ତଙ୍କ ଅପେକ୍ଷା।
