ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ନିଲମ୍ବନ ହେଲେ ପୋଲିସ ଅଧିକାରୀ

Published By : Prameya-News7 Bureau | October 08, 2018 IST

ପୁରୀ ୮/୧୦ : ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଫେସବୁକରେ ଫଟୋ ଅପଲୋଡ଼ କରିଥିବା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି | ପୁରୀ ଏସପି ନିଲମ୍ବନ ଆଦେଶ ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଏଏସଆଇ ଦିଲ୍ଲୀପ ପଣ୍ଡା ଆଜି ମହାଳୟାରେ ପିତୃ ଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ | ବାଇଶି ପାହାଚରେ ପିଣ୍ଡଦାନର ଫଟୋ ସାଙ୍ଗକୁ ପତିତପାବନଙ୍କ ଗୁମୁଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଦିଲ୍ଲୀପ ଫଟୋ ଉଠାଇଥିଲେ | ଏହି ଫଟୋକୁ ମଧ୍ୟ ସେ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ଼ କରିଥିଲେ | ଏହା ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ଦିଲ୍ଲୀପ ପଣ୍ଡା ନିଜ ଆକାଉଣ୍ଟରୁ ଫଟୋ ସବୁ ଡିଲିଟ କରିଥିଲେ | ତେବେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଏଏସଆଇଙ୍କୁ ନିଲମ୍ବିତ କରିଥିଲେ | ଦିଲ୍ଲୀପ ପଣ୍ଡା ଉଠାଇଥିବା ଫଟୋ ମଧ୍ୟରୁ କିଛି ସେଲଫି ହୋଇଥିବା ବେଳେ କେହି ଦ୍ୱିତୀୟ ବ୍ୟକ୍ତି ଫଟୋ ଉଠାଇଥିବା ଜଣାପଡିଛି | ଏହି ଦ୍ୱିତୀୟ ବ୍ୟକ୍ତି କିଏ ଏବଂ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରଶ୍ନ ଉଠିଛି | ସୂଚନାଯୋଗ୍ୟ ଯେ, ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ମଧ୍ୟକୁ ମୋବାଇଲ ବା କ୍ୟାମେରା ନେଇ ଯିବା ଉପରେ କଟକଣା ରହିଛି | ଜଣେ ପୋଲିସ ଅଧିକାରୀ ହୋଇ ମଧ୍ୟ ଦିଲ୍ଲୀପ ପଣ୍ଡା ଏହି ନିୟମକୁ ଉଲଂଘନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.