ଚଣ୍ଡିଗଡ଼: ଏକ୍ସପାୟର୍ଡ ଚୋକୋଲେଟ୍ ଖାଇ ରକ୍ତବାନ୍ତି କଲେ ଦେଢ଼ ବର୍ଷର ଝିଅ। ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ଘଟଣା ଘଟିଛି ପଞ୍ଜାବର ଲୁଧିଆନାରେ।
ନାବାଳିକାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ନାବାଳିକା ଓ ତାଙ୍କ ପରିବାର ସମ୍ପର୍କୀୟଙ୍କୁ ଭେଟିବାକୁ ପଟିଆଲା ଯାଇଥିଲେ। ବନ୍ଧୁ ଚର୍ଚ୍ଚା ସାରି ଘରକୁ ଫେରିବାକୁ ବାହାରିଥିବା ବେଳେ କୁନି ଝିଅଙ୍କୁ ତାଙ୍କ ସମ୍ପର୍କୀୟ ଏକ ସ୍ନାକ୍ସ ବକ୍ସ ଉପହାର ଦେଇଥିଲେ। ଯେଉଁଥିରେ କିଛି ଚୋକୋଲେଟ୍ ମଧ୍ୟ ଥିଲା। କୁନି ଝିଅଟି କିଛି ଚୋକୋଲେଟ୍ ଖାଇବା ପରେ ରକ୍ତବାନ୍ତି କରିଥିଲା। ଏହାପରେ ପରିବାର ଲୋକେ ତାକୁ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଏକ୍ସପାୟର୍ଡ ଚୋକୋଲେଟ୍ ଖାଇବାରୁ ଝିଅଟିର ଏଭଳି ଅବସ୍ଥା ହୋଇଛି।
ଏହାପରେ ମାମଲା ପୁଲିସ ପାଖକୁ ଯିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ମିଳିତ ଭାବେ ସ୍ନାକ୍ସ ବକ୍ସ ଅଣାଯାଇଥିବା ଦୋକାନ୍ରେ ଚଢ଼ାଉ କରିଥିଲେ। ଏଥିରେ ଦୋକାନୀ ଠାରୁ ଏକାଧିକ ଏକ୍ସପାୟର୍ଡ ମାଲ ଜବତ କରାଯାଇଛି।
ଅନ୍ୟପଟେ ପରିବାର ଲୋକ କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେମିତି ଦୋକାନୀମାନେ ଏକ୍ସପାୟର୍ଡ ସାମଗ୍ରୀ ବିକ୍ରି କରି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି, ହେଲେ ସ୍ୱାସ୍ଥ୍ୟ ବିଭାଗ ଚୁପ ବସିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ପଢ଼ନ୍ତୁ-‘ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ’; ଦୂରଦର୍ଶନର ଗେରୁଆ ରଙ୍ଗକୁ ନେଇ ତାତିଲେ ବିରୋଧୀ
ମାର୍ଚ୍ଚ ମାସରେ ପଞ୍ଜାବ ପଟିଆଲାରେ ଜଣେ ୧୦ ବର୍ଷର ନାବାଳିକାଙ୍କର ବଷାକ୍ତ କେକ୍ ଖାଇ ମୃତ୍ୟୁ ହୋଇଥିଲା। ତାଙ୍କ ଜନ୍ମଦିନରେ କେକ୍ଟି ଅନ୍ଲାଇନ୍ରେ ଅର୍ଡର କରାଯାଇଥିଲା। ଯାହାକୁ ପରିବାର ଲୋକେ ଖାଇ ଅସୁସ୍ଥ ହୋଇଥିଲେ। ପରେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେମାନେ ସୁସ୍ଥ ହୋଇଯାଇଥିଲେ। ହେଲେ ନାବାଳିକା ତାଙ୍କ ଜୀବନ ହରାଇଥିଲେ। ଏହାପରେ ଜଣାପଡିଥିଲା ଯେ କେକ୍ଟି ଯେଉଁ ସପ୍ରୁ ଅଣାଯାଇଛି ତାହା ପଞ୍ଜିକୃତ ହୋଇ ନାହିଁ। ଏକ ନକଲି ନାଁରେ ଦୋକାନ ଚାଲିଛି।
ଟଙ୍କା ଲୋଭରେ ଲୋକଙ୍କ ଜୀବନ ସହ ଏମିତି ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ ପଞ୍ଜାବ ସରକାର ନିଦାବିଷ୍ଣୁ ସାଜିଛନ୍ତି। ତେଣୁ ସ୍ୱାସ୍ଥ୍ୟ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଲୋକେ ଦାବି କରିଛନ୍ତି।