ପଟିଆଲା ହିଂସା ମାମଲାରେ ପଞ୍ଜାବ ଶିବସେନା ମୁଖ୍ୟ ହରିଶ ସିଂଲା ଗିରଫ

Published By : Prameya-News7 Bureau | April 29, 2022 IST

ଚଣ୍ଡିଗଡ଼ ୨୯।୪: ପଞ୍ଜାବ ପଟିଆଲା କାଳିଦେବୀ ମନ୍ଦିର ନିକଟରେ ଶୁକ୍ରବାର ହୋଇଥିବା ସଂଘର୍ଷକୁ ନେଇ ରାଜ୍ୟ ଶିବସେନା ମୁଖ୍ୟ ହରିଶ ସିଂଲାଙ୍କୁ ଗିରଫ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ସିଂଲାଙ୍କ ଗିରଫ ଲାଗି ନିଷ୍ପତ୍ତି ହୋଇଥିଲା। ସେହି  ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି।

ଉଲ୍ଲେଖ ଯୋଗ୍ୟ ଯେ କାଲିଦେବୀ ମନ୍ଦିର ନିକଟରେ ୨ ଗୋଷ୍ଠୀ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓ  ଅନୁସାରେ ଖାଲିସ୍ତାନ ସମର୍ଥକ ତରୱାଲ ବୁଲାଇବା ସହ ଶିବସେନା କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଉପରକୁ ଟେକାପଥର ମାଡ଼ କରିଥିଲେ। ଏହା ପରେ ଖାଲିସ୍ତାନ ବିରୋଧ ପ୍ରଦର୍ଶନକୁ ନେଇ ଶିବସେନା ଓ ଶିଓଦ (ଅମୃତସର) କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସାତ୍ମକ ଗଣ୍ଡଗୋଳକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଥିଲେ।

{"id":621556,"width":839,"height":552,"sizeSlug":"full","linkDestination":"none"}

ମୁଖ୍ୟମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିବା ବେଳେ ଡିଜିପିଙ୍କ ସହ ଆଲୋଚନା କରି ଅଞ୍ଚଳରେ ଶାନ୍ତି ସ୍ଥାପନା କରାଯାଇଛି ବୋଲି କହିଥିଲେ।   ପଟିଆଲାରେ ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷକୁ ନେଇ ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି। ଏଣୁ ପରିସ୍ଥିତିର ଗୁରୁତ୍ୱକୁ ଦେଖି ପ୍ରଶାସନ କର୍ଫ୍ୟୁ ଜାରି କରିଦେଇଛି। ଶୁକ୍ରବାର ସନ୍ଧ୍ୟା ୭ରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ମଧ୍ୟାହ୍ନରେ ଖାଲିସ୍ତାନ ମୁର୍ଦ୍ଦାବାଦ ରାଲି ବେଳେ ଶିବ ସୈନିକ ଓ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।

ଏହି ରାଲିର ନେତୃତ୍ୱ ନେଇଥିବା ହରିଶ ସିଂଲାଙ୍କ ଗାଡି ଉପରକୁ ପଥର ମାଡ କରାଯାଇଥିଲା। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମାନ ପୋଲିସ ମହାନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ପଞ୍ଜାବ ବିରୋଧୀ ଶକ୍ତିଙ୍କୁ କ୍ଷମା ନ କରିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.