ଅମୃତପାଲ ସିଂହକୁ ଶରଣ ଦେଇଥିବା ମହିଳା ଗିରଫ, ପଳାତକକୁ ୬ ଘଣ୍ଟା ଲୁଚାଇ ରଖିଥିଲେ ବଲବୀର କୌର
26/03/2023 at 9:51 PM

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ପଳାତକ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଏବଂ ଏହାର ସହଯୋଗୀଙ୍କୁ ଶରଣ ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ରବିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଅମୃତପାଲ ଏବଂ ଏହାର ସହଯୋଗୀ ପାପଲପ୍ରୀତ ସିଂହ ମାର୍ଚ୍ଚ ୧୯ରେ ପଟିଆଲାର ହରଗୋବିନ୍ଦ ନଗରରେ ବଲବୀର କୌରଙ୍କ ଘରେ ଲୁଚି ରହିଥିଲା । ପୋଲିସ ସୂଚନା ଅନୁସାରେ ବଲବୀର କୌର ନିଜ ଘରେ ଅମୃତପାଲ ସିଂହ ଏବଂ ତାର ସହଯୋଗୀକୁ ୫ରୁ ୬ ଘଣ୍ଟା ଯାଏ ଲୁଚାଇ ରଖିଥିଲେ ।
ଅମୃତପାଲ ସିଂହ ମାର୍ଚ୍ଚ ୧୮ରୁ ଫେରାର ଅଛି । ପଞ୍ଜାବ ପୋଲିସ ୱାରିସ୍ ପଞ୍ଜାବ ଡେ’ ବିରୋଧରେ ଆକ୍ସନ ନେବା ବେଳେ ସେ ଫେରାର ହୋଇଯାଇଥିଲା । ପଞ୍ଜାବର ଜଳନ୍ଧର ପୋଲିସ ଗିରଫ କରିବା ପାଇଁ ଜାଲ ବିଛାଇଥିଲା, କିନ୍ତୁ ଆମୃତପାଲ ସିଂହ ପୋଲିସକୁ ଚଖମା ଦେଇ ଫେରାର ହୋଇଥିଲା ।
ଏହା ପୂର୍ବରୁ ଅମୃତପାଲର ସହଯୋଗୀ ତେଜିନ୍ଦର ସିଂହ ଗିଲ ଓରଫ ଗୋରଖା ବାବାକୁ ଶରଣ ଦେବା ଅଭିଯୋଗରେ ଖନ୍ନା ପୋଲିସ ଶନିବାର ବଲୱନ୍ତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗରିଫ କରିଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପଞ୍ଜାବ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସିଙ୍କୁ କିଛି ସୂଚନା ମିଳିଛି । ଏହାପରେ ରାଜ୍ୟ ପୋଲିସ ନେପାଳ ସୀମାବର୍ତ୍ତୀ ଜିଲ୍ଲା ଏବଂ ଉତ୍ତର ପ୍ରଦେଶକୁ ଲାଗିଥିବା ରାମପୁର, ପିଲିଭିତ ଏବଂ ବରେଲି ଜିଲ୍ଲାର ସୀମାରେ ଜୋରଦାର ସର୍ଚ୍ଚ ଅପରେସନ କରୁଛନ୍ତି ।