ପଞ୍ଜାବରେ ଘାତକ ହେଲା କରୋନା, ୨୪ ଘଣ୍ଟାରେ ଅକ୍ସିଜେନ ସପୋର୍ଟ ରୋଗୀଙ୍କ ସଂଖ୍ୟା ୨୬୪%କୁ ବୃଦ୍ଧି
9/01/2022 at 3:51 PM

ଚଣ୍ଡିଗଡ଼ ୯।୧: ପଞ୍ଜାବରେ କୋଭିଡ ସଂକ୍ରମଣ ଏବେ ଗୁରୁତର ରୂପ ଧାରଣ କରିଛି। ଏବେ ଅକ୍ସିଜେନ ସପୋର୍ଟ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢ଼ିବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ଏପରି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ପ୍ରତିଶତକୁ ବୃଦ୍ଧି ହୋଇଛି। ଗତ ଶନିବାର ଜାରି ସରକାରୀ ସ୍ୱାସ୍ଥ୍ୟ ବୁଲେଟିନ ଅନୁସାରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ମାତ୍ର ୬୨ ଜଣ ରୋଗୀ ଅକ୍ସିଜେନ ସପୋର୍ଟରେ ଥିଲେ।

ରାଜ୍ୟରେ ସଂକ୍ରମଣ ପଜିଟିଭିଟି ହାର ୧୧.୭୫ ପ୍ରତିଶତ ଥିଲା, ତେବେ ଶନିବାର ଏହା ୧୪.୬୪ ପ୍ରତିଶତକୁ ବୃଦ୍ଧି ହୋଇଛି। ଶୁକ୍ରବାର ସୁଦ୍ଧା ରାଜ୍ୟରେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ୨ହଜାର ୯୦୧ଜଣ ଥିଲେ। ଶନିବାର ଦିନକରେ ଏହି ସଂଖ୍ୟା ୩ ହଜାର ୬୪୩କୁ ପହଞ୍ଚି ଯାଇଛି। ରାଜ୍ୟର ହସ୍ପିଟାଲମାନଙ୍କରେ ଲେବୁଲ-୩ ସପୋର୍ଟ ରୋଗୀଙ୍କ ସଂଖ୍ୟା ଏବେ ୫୫କୁ ପହଞ୍ଚିଛି। ଫଳରେ ସଂକ୍ରମଣରେ ଗୁରୁତର ପ୍ରତିଶତ ଅଚାନକ ୧୭୫ପ୍ରତିଶତକୁ ଲମ୍ପ ଦେଇଛି।

ଗତ ଜାନୁୟାରୀ ୧ ତାରିଖ ଦିନ ପଞ୍ଜାବ ହସ୍ପିଟାଲମାନଙ୍କର ଭେଣ୍ଟିଲେଟରରେ ଜଣେ ବି କୋଭିଡ ଆକ୍ରାନ୍ତ ନଥିଲେ। ଏବେ ୧୧ ଜଣ ଥିବା ଜଣାପଡିଛି। ଜାନୁୟାରୀ ୧ତାରିଖ ଦିନ ରାଜ୍ୟରେ ପଜିଟିଭିଟି ହାର ୨.୦୨ ପ୍ରତିଶତ ଥିଲା ୧୪.୬୪ ପ୍ରତିଶତକୁ ପହଞ୍ଚିଯିବା ପରିସ୍ଥିତିକୁ ଚିନ୍ତାଜନକ କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ପରିବାରର ୩ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡା. କମଲଜିତ କୌର, ପୁଅ ନଭଜୀତ ସିଂହ ଓ ବୋହୂ ସିମରନଧୀର କୌର ଥିବା ମୋହାଲୀ ସିଭିଲ ସର୍ଜନ ଡା.ଆଦର୍ଶପାଲ କୌର ରବିବାର କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସାନ ପୁଅଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।