ଡିଏଲଏସ ନିୟମରେ କୋଲକାତାକୁ ୭ ରନରେ ହରାଇଲା ପଞ୍ଜାବ, ଚମକିଲେ ରାଜପକ୍ଷ ଏବଂ ଅର୍ଶଦୀପ
1/04/2023 at 8:33 PM

ମୋହାଲି: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ମୋହାଲିରେ ଖେଳାଯାଉଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବାରୁ ଡକଓ୍ଵର୍ଥ ଲୁଇସ୍ ନିୟମ ଆଧାରରେ ମ୍ୟାଚ୍ର ଫଳାଫଳ ଘୋଷଣା କରାଯାଇଛି। ଡିଏଲ୍ ପ୍ରଣାଳୀ ଅନୁସାରେ ପଞ୍ଜାବ କିଙ୍ଗ୍ସ ୭ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପଞ୍ଜାବ ବିଜୟରୁ ଆଇପିଏଲ୍ ୨୦୨୩ର ଅଭିଯାନ ଆରମ୍ଭ କରିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଭନୁକା ରାଜପକ୍ଷଙ୍କ ୫୦ ରନ ଏବଂ ଶିଖର ଧାଓ୍ଵନଙ୍କ ୪୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୧୬ ଓଭରରେ ୭ ଓ୍ଵିକେଟ୍ ହରାଇ ୧୪୬ ରନ କରିଥିବା ବେଳେ ବର୍ଷା ହୋଇଥିଲା ଏବଂ ଛାଡିନଥିଲା। ଏିହି ସମୟରେ ସୁନିଲ ନାରିନ ୭ ଏବଂ ଶାର୍ଦ୍ଦୁଳ ଠାକୁର ୮ ରନରେ ଅପରାଜିତ ଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩୫ ଏବଂ ଭେଙ୍କଟେଶ ଆୟର ୩୪ ରନ କରିଥିଲେ। ଆଉ ଡକଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ପଞ୍ଜାବ କିଙ୍ଗ୍ସ ୭ ରନରେ ବିଜୟ ହାସଲ କରିଛି। ପଞ୍ଜାବ କିଙ୍ଗ୍ସ ବିଜୟରେ ରାଜପକ୍ଷ ଏବଂ ଅର୍ଶଦୀପ ସିଂ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।
ଟସ୍ ହାରି ବ୍ୟାଟିଂ କରିଥିବା ପଞ୍ଜାବକୁ ୨୩ ରନ ସ୍କୋରରେ ପ୍ରଥମ ଝଟକାଲାଗିଥିଲା। ପ୍ରଭସିମରନ ସିଂ ଦ୍ରୁତ ବ୍ୟାଟିଂ କରି ୧୨ ବଲ୍ରୁ ୨ଟି ଲେଖାଏଁ ଚୌକ ଏବଂ ଛକା ସହ ୨୩ ରନ କରିଥିଲେ। ଏହା ପରେ ଶିଖର ଧାଓ୍ଵନ ଏବଂ ରାଜପକ୍ଷ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୦୯ ରନରେ ରାଜପକ୍ଷ ଆଉଟ୍ ହୋଇଥିଲେ। ସେ ୩୨ ବଲ୍ରୁ ୫ ଚୌକା ଏବଂ ୨ ଛକା ଜରିଆରେ ୫୦ ରନର ଦମଦାର ଇନିଂସ ଖେଳିଥିଲେ। ମଧ୍ୟକ୍ରମରେ ପଞ୍ଜାବ ଜଲଦି ଓ୍ଵିକେଟ୍ ହରାଇଥିଲେ ହେଁ ଯେଉଁ ବ୍ୟାଟର ଆସୁଥିଲେ ଦ୍ରୁତ ବ୍ୟାଟିଂ କରୁଥିଲେ। ଜିତେଶ ଶର୍ମା ୧୧ ବଲ୍ରୁ ଦ୍ରୁତ ୨୧ ରନ କରି ପାଭିଲିୟନ ଫେରିଥିଲେ। ସିକନ୍ଦର ରାଜା(୧୬) ବିଦାୟ ନେଇଥିଲେ। ସାମ କୁରନ ୨୬ ରନ ଏବଂ ଶାହରୁଖ ଖାନ ୧୧ ରନରେ ଅପରାଜିତ ଥିଲେ। ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନର ବଡ ସ୍କୋର କରିଛି।