ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ, ରାଜସ୍ଥାନକୁ ୧୮୮ ରନ ଟାର୍ଗେଟ୍ ଦେଲା ପଞ୍ଜାବ କିଙ୍ଗ୍ସ

Published By : Prameya-News7 Bureau | May 19, 2023 IST

ଧର୍ମଶାଳା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍)ର ୬୬ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୭ ରନ କରିଛି। ସାମ କରନଙ୍କ ଅପରାଜିତ ୪୯ ରନ, ଶାହରୁଖ ଖାନଙ୍କ ଦ୍ରୁତ ୪୧ ରନ ଏବଂ ଜିତେଶ ଶର୍ମାଙ୍କ ଉପଯୋଗୀ ୪୪ ରନ ବଳରେ ପଞ୍ଜାବ ଏହି ଚ୍ୟାଲେଞ୍ଜିଂ ସ୍କୋର କରି ପାରିଛି। ମ୍ୟାଚ୍ ଜିତି ଆଇପିଏଲ୍‌ରେ ଉଜ୍ଜୀବିତ ରହିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୮୮ ରନର ବିଜୟ ଲକ୍ଷ୍ୟ। ରାଜସ୍ଥାନ ପକ୍ଷରୁ ବୋଲର ନବଦୀପ ସାଇନି ୪୦ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ଆଜିର ମ୍ୟାଚ୍‌ ଯିଏ ହାରିବ ସେହି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବ ପଞ୍ଜାବ କିଙ୍ଗ୍ସର ଆରମ୍ଭ ନିରାଶଜନକ ଥିଲା। ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳୀୟ ସ୍କୋର ୨ ରନରେ ପ୍ରଭସିମରନ ସିଂ(୨) ଆଉଟ୍ ହୋଇଥିଲେ। ଅର୍ଥତ ତାଇଡେ ୧୯ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅଧିନାୟକ ଶିଖର ଧାଓ୍ଵନ(୧୭) ଆଉଟ୍  ହେବା ଦଳକୁ ବଡ଼ ଝଟକା ଦେଇଥିଲା। ଲିଭିଙ୍ଗଷ୍ଟୋନ(୯) ଦଳକୁ ନିରାଶ କରିଥିଲେ।

Image

୫୦ ରନରେ ୪ ଓ୍ଵିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିବା ପଞ୍ଜାବର ଇନିଂସ ସଜାଡ଼ିଥିଲେ ସାମ କରନ ଏବଂ ଜିତେଶ ଶର୍ମା। ଦୁଇ ବ୍ୟାଟର ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ। ଦଳୀୟ ସ୍କୋର ୧୧୪ ରନରେ ଜିତେଶ ଶର୍ମା ଆଉଟ୍ ହୋଇଥିଲେ। ସେ ୨୮ ବଲ୍‌ରୁ ୩ଟି ଚୌକା ଏବଂ ୩ଟି ଛକା ସହ ୪୪ ରନ କରିଥିଲେ। ଏହାପରେ କୁରନ ଏବଂ ଶାହରୁଖଖାନ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଅବିଭାଜିତ ଷଷ୍ଠ ଓ୍ଵିକେଟ୍‌ରେ ୭୩ ରନ ଯୋଡ଼ିଥିଲେ। ସାମ କନର ୩୧ ବଲ୍‌ରୁ ୪ଟି ଚୌକା ଏବଂ ୨ଟି ଛକା ଜରିଆରେ ୪୪ ରନ ଏବଂ ଶାହରୁଖ ମାତ୍ର ୨୩ ବଲ୍‌ରୁ ୪ ଚୌକା ଏବଂ ୨ ଛକା ସହ ୪୧ ରନ କରି ଅପରାଜିତ ଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୭ ରନ କରି ପାରିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ନବଦୀପ ସାଇନି ୪୦ ରନ ବ୍ୟୟ କରି ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ତାଙ୍କ ସହ ଟ୍ରେଣ୍ଟ ବୋଲ୍ଟ ଏବଂ ଆଡମ ଜାମ୍ପା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.