ଛାଡିଲେ ନ୍ୟୁଜିଲ୍ୟାଣ୍ଡ ଚାକିରି, କଲେ ଡ୍ରାଗନ୍ ଫ୍ରୁଟ୍ସ ଚାଷ, ଏବେ ଆୟ ଲକ୍ଷ ଲକ୍ଷ
16/09/2023 at 3:26 PM

ନୂଆଦିଲ୍ଲୀ ୧୬।୦୯: ଅଧିକାଂଶ ଯୁବପିଢୀ ପାଠପଢା ସାରିବା ପରେ ଚାହାଁନ୍ତି ବିଦେଶ ଯିବେ । ଆଉ ଭଲ କାମ କରି ମୋଟା ଅଙ୍କର ଟଙ୍କା ରୋଜଗାର କରିବେ । କିନ୍ତୁ ଏମିତି ଜଣେ ଯୁବକ ଅଛନ୍ତି ଯିଏକି ଚାଷ ପାଇଁ ବିଦେଶରେ ଭଲ ଚାକିରୀ ଛାଡିଦେଇଛନ୍ତି । ଆଉ ଗାଁକୁ ଆସି କରୁଛନ୍ତି ଡ୍ରାଗନ ଫ୍ରୁଟ୍ସ ଚାଷ ।

ଏମିତିକି ଯୁବକ ଜଣ ଏହି ଚାଷରେ ଖୁବ୍ ଲାଭ ମଧ୍ୟ ପାଉଛନ୍ତି । ତେବେ ଯୁବ କୃଷକଙ୍କ ନାଁ ହେଉଛି ମନିନ୍ଦର ସିଂ ସନ୍ଦର । ମନିନ୍ଦର ପଞ୍ଜାବ ହୋଶିଆରପୁରର ବାସିନ୍ଦା। ସେ ଚାଷ ଆରମ୍ଭ କରିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡରେ କାମ କରୁଥିଲେ । କିନ୍ତୁ ଭାରତ ଦେଶ ତାଙ୍କୁ ଫେରାଇ ଆଣିଥିଲା। ବର୍ତ୍ତମାନ ମଣିନ୍ଦର ସିଂ ସନ୍ଦର ଗ୍ରାମକୁ ଆସି ଡ୍ରାଗନ୍ ଫଳ ଚାଷ କରୁଛନ୍ତି।

ମନିନ୍ଦର ସିଂଙ୍କର ନ୍ୟୁଜିଲ୍ୟାଣ୍ଡରେ ଦରମା ପ୍ୟାକେଜ୍ ବହୁତ୍ ଭଲ ଥିଲା । କିନ୍ତୁ ତାଙ୍କର ଥିଲା କିଛି ଅଲଗା କରିବାର ନିଶା । ଏହାରି ମଧ୍ୟରେ ସେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଡ୍ରାଗନ୍ ଫଳ ଚାଷ ବିଷୟରେ । ଏହା ପରେ ସେ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ହୋଇଥିଲେ । ବିଶେଷଜ୍ଞଙ୍କ ଅନୁଯାୟୀ ପଞ୍ଜାବରେ ଡ୍ରାଗନ୍ ଫଳ ଚାଷ କରାଯାଇପାରିବ ବୋଲି ଜାଣିବାକୁ ପାଇଥିଲେ । ପରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଆଉ ମନ ଲାଗିନଥିଲା । ମନିନ୍ଦର ଫେରି ଆସିଥିଲେ ଭାରତ ।

ଦେଶକୁ ଫେରିଆସି ସେ ଆରମ୍ଭ କରିଥିଲେ ଡ୍ରାଗନ ଫ୍ରୁଟ୍ସ ଚାଷ । ମନିନ୍ଦର ସିଂଙ୍କ ଅନୁଯାୟୀ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଡ୍ରାଗନ୍ ଫଳ ବୁଣାଯାଏ । ଏହି ଫସଲ ଅନ୍ୟ ଫସଲ ପରି ତୁରନ୍ତ ଫଳ ଦିଏ ନାହିଁ । ଡ୍ରାଗନ୍ ଫଳ ଚାଷ ଅତି କମ୍ରେ ଗୋଟିଏ ବର୍ଷ ପରେ ଉତ୍ପାଦନ ଆରମ୍ଭ ହୁଏ । ଅବଶ୍ୟ ଭଲ ଫଳ ପାଇଁ ବର୍ଷେ ନୁହେଁ ବରଂ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିଥାଏ । ଏହାପରେ ହିଁ ମିଳିଥାଏ ସଠିକ୍ ଫଳ ।

ଏହାବ୍ୟତୀତ ଏହି ଚାଷ କରିବାରେ ବହୁତ ଖର୍ଚ୍ଚ ହୋଇଥାଏ । ଯେପରି ଏକ ଏକର ଜମିରେ ଡ୍ରାଗନ୍ ଫ୍ରୁଟ୍ସ ଲଗାଇବା ପାଇଁ ଖର୍ଚ୍ଚ ହୋଇଥାଏ ପ୍ରାୟ ୫ ଲକ୍ଷ ଟଙ୍କା । ମନିନ୍ଦର ସିଂ କହିଛନ୍ତି ଯେ ସେ ଡ୍ରାଗନ୍ ଫଳ ଚାଷରୁ ସେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସେ କହିଛନ୍ତି ଯେ ଡେଙ୍ଗୁ ରୋଗୀଙ୍କ ପାଇଁ ଡ୍ରାଗନ୍ ଫଳ ବେଶ୍ ଉପକାରୀ ଅଟେ । ଗ୍ରୀଷ୍ମଋତୁରେ ଏହି ଫଳର ଚାହିଦା ବେଶ୍ ବଢିଯାଇଥାଏ ।
You Can Read: