ଅନଲାଇନ୍ ପାଠପଢା ପାଇଁ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ୧.୭୮ଲକ୍ଷ ସ୍ମାର୍ଟଫୋନ୍ ଦେବେ ପଞ୍ଜାବ ସରକାର

Published By : Prameya-News7 Bureau | August 07, 2020 IST

ଚଣ୍ଡୀଗଡ ୭।୮: ଦେଶରେ କରୋନା ଭାଇରସ୍ ସଂକ୍ରମଣ ହେତୁ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏହି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷା ଦିଆଯାଉଛି । ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନର ସୁବିଧା ନାହିଁ ସେମାନେ ଅନଲାଇନ୍ ପାଠପଢାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ପଞ୍ଜାବର ଛାତ୍ରଛାତ୍ରୀମାନଙ୍କ ପାଇଁ ପଞ୍ଜାବ ସରକାରଙ୍କ ଏଭଳି ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ । ବାସ୍ତବରେ, ପଞ୍ଜାବ ସରକାରଙ୍କ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ସରକାରୀ ବିଦ୍ୟାଳୟରେ ପଢୁଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ୧.୭୮ ଲକ୍ଷ ସ୍ମାର୍ଟଫୋନ୍ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ନଭେମ୍ବର ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛନ୍ତି । ଏହି ମୋବାଇଲ୍ ଫୋନ୍ ବଣ୍ଟନ କରିବା ପୂର୍ବରୁ ଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ସମ୍ବନ୍ଧିତ ଇ-ବିଷୟବସ୍ତୁ, 'ଇ-ସେବା ଆପ୍' ଭଳି ସରକାରୀ ଆପ୍ଲିକେଶନଗୁଡିକୁ ଲୋଡ୍ କରିବେ । ବିତରଣର ପଦ୍ଧତି ମଧ୍ୟ ସ୍ଥିର ହୋଇଛି । ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ବ୍ୟାଚ୍ ରେ ୫୦,୦୦୦ ଫୋନ୍ ବଣ୍ଟନ ହୋଇସାରିଛି । ସମାନ ସଂଖ୍ୟକ ଫୋନ୍ ନଭେମ୍ବର ସୁଦ୍ଧା ବଣ୍ଟନ କରାଯିବ ।

ଏହା ପୂର୍ବରୁ ସରକାର ଘୋଷଣା କରିଥିଲେ ଯେ ଏହି ଫୋନଗୁଡିକ କେବଳ ଝିଅମାନଙ୍କୁ ଦିଆଯିବ । କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ଦ୍ବାଦଶ ଶ୍ରେଣୀର ଛାତ୍ରମାନଙ୍କ ଉପରେ କୌଣସି ପ୍ରଭାବ ନପଡୁ, ତେଣୁ ସ୍ମାର୍ଟ ଫୋନ୍ ନଥିବା ପୁଅ ଏବଂ ଝିଅମାନଙ୍କୁ ଫୋନ୍ ଦିଆଯିବ ।

ବାସ୍ତବରେ, ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ସ୍ମାର୍ଟ ଦେବାର ନିଷ୍ପତ୍ତି ସେପ୍ଟେମ୍ବର ୨୦୧୯ରେ ନିଆଯାଇଥିଲା ଏବଂ ଏଥିପାଇଁ ଏକ କ୍ୟାବିନେଟ୍ ବୈଠକ ବସିଥିଲା । ଏକ ମୋବାଇଲ୍ କମ୍ପାନୀ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା କିନ୍ତୁ ମୋବାଇଲ୍ ଫୋନ୍ ରସିଦ ଏବଂ ବିତରଣ ପାଇଁ ଧାର୍ଯ୍ୟ ସମୟ ମଧ୍ୟରେ କରୋନା ମହାମାରୀ ବ୍ୟାପିଥିଲା । ଯେଉଁଥିପାଇଁ ଏହି କାର୍ଯ୍ୟ ଅଧାରେ ରହିଯାଇଥିଲା ।

ସୂଚନାଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଅମରିନ୍ଦର ସିଂ ଏପରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.